ଅସହ୍ୟ ଗରମକୁ ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ବ୍ୟବସ୍ଥା କରୁଛୁ କହିଲେ ଶକ୍ତିମନ୍ତ୍ରୀ

0

ଅସହ୍ୟ ଗୁଳୁଗୁଳି, ଗରମକୁ ଅଘୋଷିତ ବିଦ୍ୟୁତ କାଟ୍‌ ।  ବେଡି ଉପରେ ଯେମିତି ପଡିଛି କୋରଡା ମାଡ । ଗତ କିଛି ଦିନ ଧରି ଲୋକଙ୍କୁ ଅତିଷ୍ଠ କଲାଣି ପ୍ରବଳ ଗରମ ସାଙ୍ଗକୁ ପାୱାର କଟ୍‌ ।ନା ଘରେ ରହି ହେଉଛି ନା ବାହାରକୁ ବାହାରି ହେଉଛି ।ବିଞ୍ଚଣାରେ ବସି ବିଞ୍ଚିବା ଛଡା ଆଉ କିଛି ଉପାୟ ନାହିଁ ।ଆଗକୁ ଆହୁରି ବଢିବ ତାତି । ଏପଟେ  ବିନା କାରଣରେ ଘଣ୍ଟା ଘଣ୍ଟା ଧରି ଲାଇନ ଯାଉଥିଲେ ମଧ୍ୟ ଆସୁନି । ବାରମ୍ବାର ଜଣାଇଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଚେତାବନୀକୁ ଶୁଣୁନାହାନ୍ତି ବିଦ୍ୟୁତ ବିତରଣ କଂପାନୀ ।  ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଲୋକଙ୍କ ଅସନ୍ତୋଷର ଖବର । ବାରମ୍ବାର ଏପରି ପାୱାର କଟ୍‌ ନ କରିବାକୁ ଅନୁରୋଧ କରିଛନ୍ତି ।ନିଜର ଦାବି ଜଣାଇଛନ୍ତି, ଆନ୍ଦୋଳନ ବି କରୁଛନ୍ତି। କିନ୍ତୁ ଲୋକଙ୍କ ଦୁଃଖ ବୁଝୁଛି କିଏ ?

ଲୋକଙ୍କ ଅସନ୍ତୋଷ ବଢୁଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଓଭରଲୋଡ୍‌ ଯୋଗୁଁ ପାଓ୍ବାର କଟ୍‌ ହେଉଥିବାର ସଫେଇ ଦେଇଛନ୍ତି  ଶକ୍ତି ମନ୍ତ୍ରୀ ।ଏବେ ଯେଉଁପରି ଭାବେ ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି’ । ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ । ଲୋକେ ଯେପରି ନିରନ୍ତର ବିଦ୍ୟୁତ ସେବା ପାଇବେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେ.ଭି.ସିଂହଦେଓ ।

ପ୍ରତିବର୍ଷ ଖରାଦିନ ଦିନ ଆସିଲେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍‌ ହେବା କିଛି ନୂଆ କଥା ନୁହେଁ  । ତେବେ କିଛି ଦିନ ପୂର୍ବରୁ ଅଘୋଷିତ ବିଦ୍ୟୁତ କାଟ୍‌ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗରମରେ ୨୪ ଘଣ୍ଟା କରେଣ୍ଟ ରହିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସତେ ଯେମିତି ଏହାକୁ ଫୁ କରି ଉଡାଇ ଦେଇଛନ୍ତି ବିଦ୍ୟୁତ ବିତରଣ କଂପାନୀ ।ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ପରେ କାହିଁକି ପାୱାର କଟ୍‌ ହେଉଛି ତାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ବି ହେଉଛି । 

Leave A Reply

Your email address will not be published.