ହର୍ମୁଜ ନିକଟରେ ଆମେରିକାର ଆକ୍ରମଣ ; ୩ ଭାରତୀୟ ନାବିକ ମୃତ,୨୧ ଉଦ୍ଧାର
ଆମେରିକା ମାନୁନି, କି ଇରାନ ହାରୁନି। ମଧ୍ୟପ୍ରାଚ୍ୟରେ ହେଉଛି ମିଶାଇଲ୍ ବର୍ଷା। କୁଏତ, ବାହାରିନ୍, ଜୋର୍ଡାନରେ ଇରାନ୍ କରିଛି ଆକ୍ରମଣ। ଓମାନ ଉପକୂଳରେ ହର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ବାଣିଜ୍ୟିକ ଜାହାଜ “ଏମ୍ଟି ସେଟ୍ଟେବେଲୋ” ଉପରେ ହୋଇଥିବା ଆକ୍ରମଣରେ ମୁଖ୍ୟ ଇଞ୍ଜିନିୟରଙ୍କ ସମେତ ତିନି ଜଣ ନିଖୋଜ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି। ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ମନୋଜ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ଦାବି କରି କହିଛନ୍ତି ଯେ ଆମେରିକା ନୌସେନା ବାହିନୀ ପାଖରେ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ଜାତୀୟତା ବିଷୟରେ ୧୦୧ ପ୍ରତିଶତ ସୂଚନା ଥିବା ସତ୍ତ୍ୱେ ଏହି ଆକ୍ରମଣ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ମୁଖ୍ୟ ଇଞ୍ଜିନିୟରଙ୍କ ସମେତ ତିନି ଜଣଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି ଏବଂ ଗଭୀର ସମବେଦନା ପ୍ରକାଶ କରିଛନ୍ତି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ବାଣିଜ୍ୟିକ ଜାହାଜରେ ମୋଟ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ୨୧ ଜଣ ନାବିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରିଛନ୍ତି ଯେ ପ୍ରଥମେ ନିଖୋଜ ହୋଇଥିବା ତିନି ଜଣ ଭାରତୀୟ ନାବିକ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଦୁଇ ନାବିକଙ୍କ ମୃତଦେହ ପୂର୍ବରୁ ଉଦ୍ଧାର କରାଯାଇଥିଲା ଏବଂ ଏବେ ନିଖୋଜ ମୁଖ୍ୟ ଇଞ୍ଜିନିୟର ମଧ୍ୟ ମୃତ ଅବସ୍ଥାରେ ମିଳିଛନ୍ତି।