ନୂଆଦିଲ୍ଲୀ: ସୋନମ୍ ୱାଙ୍ଗଚୁକ୍ ନିଜର ୨୬ ଦିନିଆ ଅନଶନ ଶେଷ କରିବା ପରେ ନିଜର ସଚ୍ଚୋଟତାକୁ ନେଇ ଦୃଢ଼ ଜବାବ ଦେଇଛନ୍ତି । ଏକ ଭିଡିଓ ମାଧ୍ୟମରେ ସେ ଏହି ସୂଚନା ଦେଇଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ସହ କୌଣସି ରାଜନୈତିକ ବୁଝାମଣା କରିଥିବା ନେଇ ବିରୋଧୀ ଓ ସୋସିଆଲ ମିଡିଆରେ ହେଉଥିବା ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସୂଚନାନୁଯାୟୀ, ଦେଶବ୍ୟାପୀ NEET-UG ପ୍ରଶ୍ନପତ୍ର ଲିକ୍ ବିବାଦ କାରଣରୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବିରେ ସେ ନୂଆଦିଲ୍ଲୀରେ ଏହି ଅନଶନ ଆରମ୍ଭ କରିଥିଲେ । ୱାଙ୍ଗଚୁକ୍ ଙ୍କର ହଠାତ୍ ଅନଶନ ଶେଷ କରିବା ନିଷ୍ପତ୍ତିକୁ ନେଇ କିଛି ଲୋକ ଓ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ହାତରୁ ସୁପ୍ ପିଇ ୱାଙ୍ଗଚୁକ୍ ନିଜର ଅନଶନ ଭାଙ୍ଗିଥିଲେ । ଏହାକୁ ନେଇ ସମାଲୋଚକମାନେ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରୁ ସେ ଓହରି ଯାଇଥିବା ଅଭିଯୋଗ ହୋଇଥିଲା । ସରକାରଙ୍କ ସହ କୌଣସି ଭିତିରି ବୁଝାମଣା କରି ସେ ଛାତ୍ର ଆନ୍ଦୋଳନକୁ ଦବାଇ ଦେଇଥିବା ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଇଥିଲା । ନିଜ ଭିଡିଓରେ ୱାଙ୍ଗଚୁକ୍ ସମସ୍ତ ସମାଲୋଚନାର କଡ଼ା ଜବାବ ଦେଇ ନିଜର ଶାରୀରିକ ଓ ମାନସିକ କଷ୍ଟ ବିଷୟରେ ଜଣାଇଛନ୍ତି ।
ଅନ୍ୟପଟେ ୨୬ ଦିନର ଅନଶନ ଯୋଗୁଁ ତାଙ୍କର ୧୧ କିଲୋଗ୍ରାମ ଓଜନ କମିଯାଇଥିବା ସୂଚନା ମିଳିଛି । ଏଭଳି ଜୀବନ ମରଣ ସ୍ଥିତି ଦେଇ ଗତି କରିବା ପରେ ତାଙ୍କୁ କାହାଠାରୁ ନିଜର ସାଧୁତାର ପ୍ରମାଣପତ୍ର ନେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।