ସ୍ୱାଧୀନତା ଦିବସ ଭାବରେ କାହିଁକି ୧୫ ଅଗଷ୍ଟ ହିଁ ସ୍ଥିର କରାଯାଇଥିଲା ? ଜାଣନ୍ତୁ ଏହା ପଛର ଇତିହାସ…

0

ନୂଆଦିଲ୍ଲୀ (ଆମ ଟିଭି): ଶୁକ୍ରବାର ୧୫ ଅଗଷ୍ଟରେ ଦେଶ ପାଳିବାକୁ ଯାଉଛି ୭୯ ତମ ସ୍ୱାଧୀନତା ଦିବସ । ଭାରତର ସ୍ୱାଧୀନତା ଦିବସ ହେଉଛି ସେହି ଦିବସ ଯେଉଁଦିନ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା ଏବଂ ଏହା ସେହି ଗୌରବମୟ ଇତିହାସକୁ ମନେ ପକାଇବାର ଦିବସ ଯାହାପାଇଁ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଦେଇଥିଲେ ଅନେକ ବଳିଦାନ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଦିଲ୍ଲୀ ଲାଲକିଲ୍ଲାଠାରେ ୧୫ ଅଗଷ୍ଟ ୧୯୪୭ ଦିନ ପତାକା ଉତ୍ତୋଳନ କରିଥିଲେ । ଏହାପର ଠାରୁ ଏକ ପ୍ରଥା ଭାବରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଥାନ୍ତି ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି । ଆଉ ଭାରତର ତିରଙ୍ଗା ପତାକା ସ୍ୱତନ୍ତ୍ର ଭାରତକୁ ସୂଚାଇଥାଏ ।

୭୫ ବର୍ଷ ତଳେ ୧୯୪୭ ଅଗଷ୍ଟ ୧୫ ତାରିଖରେ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ । ହେଲେ କିଏ ଏହି ଦିନ ଧାର୍ଯ୍ୟ କରିଥିଲେ? କାହିଁକି ୧୫ ଅଗଷ୍ଟ ହିଁ ସ୍ଥିର କରାଯାଇଥିଲା ଅନ୍ୟ କେଉଁ ଦିନ ନୁହେଁ? ତେବେ ଆସନ୍ତୁ ଜାଣିବା ଏହା ପଛର ଇତିହାସ। ସ୍ୱାଧୀନତା ପାଇଁ ଅନେକ ବର୍ଷର ସଂଘର୍ଷ ପରେ ଶେଷରେ ବ୍ରିଟିଶ ପାର୍ଲିଆମେଣ୍ଟ ଭାରତକୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଶେଷ ବ୍ରିଟିଶ ଗଭର୍ଣ୍ଣର ଲର୍ଡ ମାଉଣ୍ଟବ୍ୟାଟେନ୍ ଙ୍କୁ ୩୦ ଜୁନ୍ ୧୯୪୮ ସୁଦ୍ଧା କ୍ଷମତା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରିଟିଶ ପାର୍ଲିଆମେଣ୍ଟ । କିନ୍ତୁ କ୍ଷମତା ହସ୍ତାନ୍ତର ପାଇଁ ମାଉଣ୍ଟବ୍ୟାଣ୍ଟେନ ଏହି ତାରିଖକୁ ପଛକୁ ଘୁଞ୍ଚାଇଦେଇଥିଲେ ଏବଂ ୧୫ ଅଗଷ୍ଟ ୧୯୪୭ ଦିନ ଧାର୍ଯ୍ୟ କରିଥିଲେ ।

ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି ରାଜଗୋପାଳଚାରୀ କହିଥିଲେ ଯେ ତାରିଖକୁ ପଛକୁ ଘୁଞ୍ଚାଇବାର କାରଣ ହେଉଛି କାରଣ ହେଉଛି ଯେ ମାଉଣ୍ଟବ୍ୟାଟନ ଚାହୁଥିଲେ ଯେ ଯେପରି କୌଣସି ଦଙ୍ଗା କିମ୍ବା ରକ୍ତପାତ ନହେଉ । ଏହା ସହ ଆଉ ଏକ କାରଣ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ଆତ୍ମସମର୍ପଣ କରିବାର ଦ୍ୱିତୀୟ ବାର୍ଷିକ ଏହି ଦିନ ହେଉଥିଲା ତେଣୁ ମାଉଣ୍ଟବ୍ୟାଟେନ୍ ଏହି ଦିନକୁ ବାଛିଥିଲେ । ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ‘ଫ୍ରିଡମ ଆଟ୍ ମିଡନାଇଟ’ ରେ ମଧ୍ୟ ଏହି କାରଣ ଉଲ୍ଲେଖ କରିଛନ୍ତି ।

ମାଉଣ୍ଟବ୍ୟାଟନଙ୍କ ନିଷ୍ପତ୍ତି ପରେ ଏଥିପାଇଁ ଭାରତ ସ୍ୱାଧୀନତା ବିଲ୍ ବ୍ରିଟିଶ୍ ପାର୍ଲିଆମେଣ୍ଟର ଉଭୟ ଗୃହରେ ୪ ଜୁଲାଇ ୧୯୪୭ ରେ ପାରିତ ହୋଇଥିଲା ଏବଂ ଭାରତୀୟ ସ୍ୱାଧୀନତା ଅଧିନିୟମ ୧୯୪୭ ଅଗଷ୍ଟ ୧୫ ଲାଗୁ ହୋଇଥିଲା । ବିଲ୍ ରେ ବ୍ରିଟିଶ୍ ଶାସନ ଶେଷ ହେବା ଏବଂ ଭାରତ-ପାକିସ୍ତାନ ଅଲଗା ହେବା ନେଇ ମଧ୍ୟ ଉଲ୍ଲେଖ ରହିଥିଲା ।

Leave A Reply

Your email address will not be published.