ଭୁବନେଶ୍ୱର (ଆମ ଟିଭି): ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ ବିଧାନସଭା ନିର୍ବାଚନ ସରିଥିବାବେଳେ ବବି ଆଉ କେଉଁ ନିର୍ବାଚନ ଲଢିବାକୁ କହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଯାଜପୁରରେ ପୁଣିଥରେ ଉପନିର୍ବାଚନ ହୋଇପାରେ। ଆଉ ଯାଜପୁର ବିଧାୟିକା ସୁଜାତା ସାହୁ ବଦଳରେ ବିଜେଡି ସୁପ୍ରିମୋ ବବିଙ୍କୁ ପୁଣିଥରେ ଯାଜପୁର ମଙ୍ଗ ଧରେଇ ପାରନ୍ତି। ବବିଙ୍କ ଏହି ବୟାନ ପରେ ବିଜେଡି ନେତା ଗଣେଶ୍ୱର ବେହେରା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ବବି ଦାସ ଜଣେ ଅନୁଭବୀ ଓ ସଫଳ ଯୋଦ୍ଧା। ଲଢ଼ିବାର ଅର୍ଥ ନୁହେଁ ନିର୍ବାଚନ ଲଢ଼ିବା। ଲଢ଼ିବାର ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢ଼ିବା।
ସୂଚନାଥାଉ କି, ଗତକାଲି ଯାଜପୁରରେ ବିଜେଡିର ପଦଯାତ୍ରାରେ ବବି ଦାସ କହିଥିଲେ, ମୁଁ ପୁଣି ର୍ନିବାଚନ ଲଢିବାକୁ ପ୍ରସ୍ତୁତ। କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କ ଠାରୁ ଅଲଗା କରିପାରିବେ ନାହିଁ।