ଭୁବନେଶ୍ବର: ଇନ୍ ଚାର୍ଜ DGP ଭାବେ ଆଜି ଦାୟିତ୍ୱ ନେବେ ବିନୟତୋଷ ମିଶ୍ର । ଓଡ଼ିଶା ପୋଲିସର ନେତୃତ୍ୱରେ ଆଜିଠାରୁ ଅନ୍ତରୀଣ ବ୍ୟବସ୍ଥା। ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଆଜି ଅବସର ନେଉଥିବା ବେଳେ ବରିଷ୍ଠ IPS ଅଧିକାରୀ ବିନୟତୋଷ ମିଶ୍ର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନେବେ। ୧୯୯୩ ବ୍ୟାଚ୍ ର IPS ଅଧିକାରୀ ମିଶ୍ର ବର୍ତ୍ତମାନ CID ଓ କ୍ରାଇମବ୍ରାଞ୍ଚର DG ଭାବେ କାର୍ଯ୍ୟରତ। ଆଜିଠୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ DGPର ଅତିରିକ୍ତ ଦାୟିତ୍ୱରେ ରହିବେ। ଗୃହ ବିଭାଗର ଏହି ପ୍ରସ୍ତାବକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ୧୯୯୦ ବ୍ୟାଚ୍ ର IPS ଅଧିକାରୀ ୱାଇ.ବି. ଖୁରାନିଆ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରି ଆଜି ଅପରାହ୍ଣରେ ଅବସର ନେବେ। କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରି ସେ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶା DGP ଭାବେ ଦାୟିତ୍ୱ ନେଇଥିଲେ।
ଅବସର ପୂର୍ବରୁ ଶୁକ୍ରବାର ଲୋକସେବା ଭବନରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସ୍ଥାୟୀ DGP ଚୟନ ପ୍ରକ୍ରିୟାକୁ ନେଇ ଏବେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ସରକାରଙ୍କୁ ଏହି ଅନ୍ତରୀଣ ବ୍ୟବସ୍ଥା କରିବାକୁ ପଡ଼ିଛି। ଜଣେ RTI କର୍ମୀ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାରେ ଅଭିଯୋଗ ହୋଇଛି ଯେ, UPSCକୁ ପଠାଯାଇଥିବା ଅଧିକାରୀଙ୍କ ତାଲିକା ପ୍ରସ୍ତୁତିରେ ପ୍ରକାଶ ସିଂହ ରାୟରେ ନିର୍ଦ୍ଧାରିତ ନିୟମରୁ ବିଚ୍ୟୁତି ହୋଇଛି। ଏହାପରେ ସୁପ୍ରିମକୋର୍ଟ UPSCକୁ ତିନି ଜଣ ଅଧିକାରୀଙ୍କ ନାମ ସର୍ଟଲିଷ୍ଟ କରିବା ପାଇଁ ହେବାକୁ ଥିବା ବୈଠକକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛନ୍ତି। ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି। ଫଳରେ ନିୟମିତ DGP ନିଯୁକ୍ତି ପ୍ରକ୍ରିୟା ଏବେ ଅଟକି ରହିଛି। ବିନୟତୋଷ ମିଶ୍ର ୨୦୨୫ ଜାନୁଆରୀରେ DG ପାହ୍ୟାକୁ ପଦୋନ୍ନତି ପାଇଥିଲେ।
ତେବେ ସେ ନଭେମ୍ବରରେ ଅବସର ନେବାକୁ ଥିବାରୁ ଏମପ୍ୟାନେଲମେଣ୍ଟ ସମୟରେ ଆବଶ୍ୟକ ସର୍ବନିମ୍ନ ୬ ମାସର ଅବଶିଷ୍ଟ ଚାକିରି ଅବଧି ସର୍ତ୍ତ ପୂରଣ କରୁନାହାନ୍ତି। ତେଣୁ ସ୍ଥାୟୀ DGP ପଦ ପାଇଁ ସେ ଦୌଡ଼ରେ ନାହାନ୍ତି। ସ୍ଥାୟୀ DGP ପଦ ପାଇଁ ଚର୍ଚ୍ଚାରେ ଥିବା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ ର ଆର୍ .ପି. କୋଚେଙ୍କ ସହ ନିକଟରେ DG ପାହ୍ୟାକୁ ପଦୋନ୍ନତି ପାଇଥିବା ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱାଙ୍କ ନାମ ମଧ୍ୟ ରହିଛି। ତେବେ ସମ୍ପ୍ରସାରିତ ତାଲିକାକୁ ନେଇ ଆଇନଗତ ବିବାଦ ଜାରି ରହିଛି। ସରକାରଙ୍କ କହିବା ଅନୁସାରେ, ବିନୟତୋଷ ମିଶ୍ରଙ୍କୁ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଏକ ପ୍ରଶାସନିକ ବ୍ୟବସ୍ଥା। ଅଦାଲତୀ ପ୍ରକ୍ରିୟା ଶେଷ ହୋଇ ନିୟମିତ DGP ନିଯୁକ୍ତ ହେବା ପର୍ଯ୍ୟନ୍ତ ରାଜ୍ୟ ପୋଲିସର କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି।