ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ

0

କଟକ : ବଢିଛି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ସୌରିନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଲେ ହାଇକୋର୍ଟ । ମାମଲାର ତଦନ୍ତରେ ସୌରିନଙ୍କ ସକ୍ରିୟ ଉପସ୍ଥିତି ପାଇଁ କହିଲେ ହାଇକୋର୍ଟ । କେସ୍ ଡାଏରୀରେ ଘଟଣାରେ ସୌରିନଙ୍କ ସମ୍ପୃକ୍ତିର ସୂଚନା ମିଳିଛି ।

ସୂଚନା ଅନୁଯାୟ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ଆଉ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ‌ ସୌରିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ।

ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସୌରିନ ପୁଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏନେଇ ରାୟ ପ୍ରକାଶ ପାଇଥିବାବେଳେ ଜାମିନ ଆବେଦନକୁ ଖାରଜ କରାଯାଇଛି |

Leave A Reply

Your email address will not be published.