ଅଢ଼େଇ ବର୍ଷ ପରେ ଦିଲ୍ଲୀରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ-ନେପାଳ ସମ୍ପର୍କକୁ ନୂଆ ଦିଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହ। ରବିବାର ଠାରୁ ଆରମ୍ଭ ହୋଇଛି ତାଙ୍କର ଦୁଇଦିନିଆ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତକୁ ନେଇ ଉଭୟ ଦେଶର କୂଟନୈତିକ ମହଲରେ ବେଶ୍ ଚର୍ଚ୍ଚା ଜୋର ଧରିଛି। ସୋମବାର ନଭେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାଲେନ୍ ଶାହଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ଦୁଇ ଦେଶର ସମ୍ପର୍କ, ବାଣିଜ୍ୟ, ଯୋଗାଯୋଗ ବ୍ୟବସ୍ଥା ସହ ଦୀର୍ଘ ୮ ବର୍ଷ ଧରି ଅଟକି ରହିଥିବା EPG ରିପୋର୍ଟ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି।
ରବିବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ସହ ୩୪ ଜଣିଆ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଯାତ୍ରା ମଧ୍ୟ।
ବାଲେନ୍ ଶାହଙ୍କ ଏହି ଗସ୍ତରେ ଭାରତ ଓ ନେପାଳ ମଧ୍ୟରେ ସଡ଼କ ଓ ବିମାନ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇପାରେ। ଏହା ସହ ପେଟ୍ରୋଲିୟମ୍ ପାଇପଲାଇନ୍ର ସମ୍ପ୍ରସାରଣ ଏବଂ ନୂଆ ଗ୍ୟାସ୍ ପାଇପଲାଇନ୍ ସଂଯୋଗ ସ୍ଥାପନ ନେଇ ମଧ୍ୟ ଆଲୋଚନା ହେବାର ଆଶା ରହିଛି। କେବଳ ପାରମ୍ପରିକ ବାଣିଜ୍ୟ ଓ ଯୋଗାଯୋଗ ନୁହେଁ, ଜଳବାୟୁ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଭଳି ନୂଆ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ମଧ୍ୟ ଦୁଇ ଦେଶ ଆଲୋଚନା କରିପାରନ୍ତି। ଏହାବ୍ୟତୀତ କ୍ରିକେଟ୍ ଭିତ୍ତିଭୂମିର ବିକାଶ ଓ ଷ୍ଟାଡିୟମ୍ ନିର୍ମାଣ ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନା ପରିସରକୁ ଆସିପାରେ।