ଭୁବନେଶ୍ୱର,୨୩ା୪- ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ, ‘ଧରିତ୍ରୀ’ ହେଉଛି ଆଧୁନିକ ଓଡିଶାର ଚିନ୍ତାଧାରାର ପରିଚୟ। ଧରିତ୍ରୀ ସବୁବେଳେ ଯୁବ ବର୍ଗର ଆକାଂକ୍ଷାକୁ ପ୍ରତିଫଳିତ କରିଆସିଛି। ଓଡ଼ିଶାର ବ୍ୟବସାୟ ଓ ଶିଳ୍ପଜଗତରେ ନିଜ ଦୃଢ଼ ସଂକଳ୍ପ, ପରିଶ୍ରମ, ନବଚିନ୍ତନ ଓ ସମାଜପ୍ରତି ଅଙ୍ଗୀକାର ଦ୍ୱାରା ନୂଆ ଅଧ୍ୟାୟ ରଚନା କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ସମ୍ମାନିତ କରୁଥିବାରୁ ଅଭିନନ୍ଦନ ଜଣାଇଥିଲେ। ଏହି ପୁରସ୍କାର କେବଳ ସଫଳତାର ଉତ୍ସବ ନୁହେଁ, ଏହା ସାହସ, ସଂଘର୍ଷ, ଆତ୍ମବିଶ୍ୱାସ, ନିଷ୍ଠା ଓ ଉଦ୍ୟମୀ ମନୋଭାବର ସମ୍ମାନ। ପ୍ରତ୍ୟେକ ସଫଳ ବ୍ୟବସାୟ ପଛରେ ରହିଥାଏ ଅନେକ ଅନିଦ୍ରା ରାତ୍ରି, ଅସଂଖ୍ୟ ପ୍ରୟାସ, ଆହାନର ମୁକାବିଲା ଓ ଭବିଷ୍ୟତ ପାଇଁ ବଡ଼ ସ୍ବପ୍ନ। ଯେଉଁମାନେ ଶୂନ୍ୟରୁ ଆରମ୍ଭ କରି ସଫଳତାର ଶିଖରକୁ ପହଞ୍ଚନ୍ତି, ସେମାନେ ସମାଜ ପାଇଁ ପ୍ରେରଣାର ଉତ୍ସ। ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଆମ ରାଜ୍ୟର ଲମ୍ବା ସମୁଦ୍ରତଟ, ଉତ୍କୃଷ୍ଟ ଭୌଗୋଳିକ ସ୍ଥିତି, ଦକ୍ଷ ଯୁବଶକ୍ତି, ସ୍ଥିର ଶାସନ ବ୍ୟବସ୍ଥା ଏବଂ ଲୋକଙ୍କ ଅଦମ୍ୟ ସାହସକୁ ନେଇ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ରଖି ଆଗକୁ ବଢୁଛୁ। ୨୦୩୬ ସୁଦ୍ଧା ଆମର ଅର୍ଥନୀତି ୫୦୦ ବିଲିଅନ ଡଲାର ହେବ। ୨୦୪୭ ସୁଦ୍ଧା ଆମେ ୧୫୦୦ ବିଲିଅନ ଡଲାର ଅର୍ଥନୀତିରେ ପହଞ୍ଚି ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବାର ଲକ୍ଷ୍ୟ ରଖିଛୁ। କଳିଙ୍ଗନଗର, ପାରାଦୀପ, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକ ଆଜି ନୂଆ ସମୃଦ୍ଧିର ପରିଚୟ ଦେଉଛନ୍ତି। ଆଗାମୀ ୧୦ ବର୍ଷ ଆମ ଓଡିଶାର ଯୁବବର୍ଗ ପାଇଁ ଏକ ସୁବର୍ଣ୍ଣ ଦଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟବକ୍ତା ଭାବେ ଶିଳ୍ପ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ କହିଲେ, ଓଡ଼ିଶା ଆଜି ଅର୍ଥନୈତିକ, ବ୍ୟବସାୟିକ ତଥା ଶିଳ୍ପ ଯାତ୍ରାରେ ଆଗକୁ ବଢୁଛି। ଆମ ସରକାରଙ୍କର ଶିଳ୍ପ ଅନୁକୂଳ ୱାର୍କ, ଷ୍ଟ୍ରିମଲାଇନ୍ଡ ପ୍ରୋସେସେସ, ଲ୍ୟାଣ୍ଡ ବ୍ୟାଙ୍କ୍ସ ଏବଂ ସେକ୍ଟର୍-ସ୍ପେସିଫିକ ଇନିସିଏଟିଭ ଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ପୂର୍ବାପେକ୍ଷା ଆହୁରି ସହଜ ହୋଇପାରିଛି l ଆମେ ପାରମ୍ପରିକ ଶିଳ୍ପ ସହିତ ନ୍ୟୁ-ଏଜ ଇଣ୍ଡଷ୍ଟ୍ରିଜ, ପରିବେଶ ଅନୁକୂଳ ଶିଳ୍ପ ଓ ଲେବର୍ ଇଣ୍ଟେନସିଭ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇ ଗତ ୨୨ ମାସ ଭିତରେ ଏଚ୍ଏଲସିଏ ଏବଂ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ମାଧ୍ୟମରେ ୪୩୩ଟି ଶିଳ୍ପ ପ୍ରକଳ୍ପ ସହିତ ପାଖାପାଖି ୮ ଲକ୍ଷ ୩୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ ଦେଇସାରିଛୁ। ଏହାଦ୍ୱାରା ଓଡ଼ିଶା ଜ୍ଞାନଭିତ୍ତିକ ଶିଳ୍ପ ଓ ବ୍ୟବସାୟ ପାଇଁ ବିଶ୍ୱସ୍ତରୀୟ ହବ ରେ ପରିଣତ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣରେ କହିଥିଲେ, କୋଭିଡ୍ ସମୟରେ ବିଭିନ୍ନ ଶିଳ୍ପ ଓ ଉଦ୍ୟୋଗ ଜଗତ ଅନେକ ଆହାବାନ ଦେଇ ଗତି କରୁଥିବାବେଳେ ସେମାନଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ପକ୍ଷରୁ ‘ବିଜନେଶ୍ ଏମିନେନ୍ସ ଆଓ୍ବାର୍ଡ’ର ପରିକଳ୍ପନା କରାଯାଇଥିଲା। ପୂର୍ବରୁ କେବଳ ଭୁବନେଶ୍ୱର ଓ କଟକରେ ଉଦ୍ୟୋଗ ଜଗତ ସୀମିତ ଥିବାବେଳେ ବର୍ତ୍ତମାନ ସାରା ଓଡ଼ିଶାରେ ଉଦ୍ୟୋଗ ବିସ୍ତାର ହେଉଛି ଏବଂ ଏଭଳି ଉଦ୍ୟୋଗୀଙ୍କୁ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ସମ୍ପାଦକ ତଥାଗତ ବେଳେ ଧନ୍ୟବାଦ ଦେଇ କହିଲେ, ଏବେ ଏକ ନୂଆ ଆଭିମୁଖ୍ୟ ଦେଖିବାକୁ ମିଳୁଛି। ଓଡ଼ିଆ ଯୁବତୀଯୁବକ, ଉଦ୍ୟୋଗୀମାନେ ଯେତେବେଳେ ଆଗକୁ ବଢ଼ୁଛନ୍ତି, ତାହା ଦେଖି ମୁଖ୍ୟମନ୍ତ୍ରୀ ସେଥିରେ ଖୁସି ହେଉଛନ୍ତି। ଓଡ଼ିଶାର ପ୍ରଗତିରେ ଆମେମାନେ ଗର୍ବିତ ହେବା ଆବଶ୍ୟକ ବୋଲି ତଥାଗତ କହିଥିଲେ। ଉପସ୍ଥାପିକା ମୁନ୍ମୁନ୍ ସିଂହ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।