ନୂଆଦିଲ୍ଲୀ (ଆମ ଟିଭି): ଲୋକପ୍ରିୟ ହେବା ପାଇଁ କିମ୍ବା ଟିଆରପି ପାଇଁ ଆଜିକାର ଟିଭି ଚ୍ୟାନେଲମାନେ ନିଜର ସୀମା ଅତିକ୍ରମ କରିଯାଉଛନ୍ତି । ଉପସ୍ଥାପକମାନେ ହେଟ୍ ସ୍ପିଚ୍ ମଧ୍ୟ କହୁଛନ୍ତି । ତେବେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ଏକ ହେଟ୍ ସ୍ପିଚ୍ ମାମଲାର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ୍ସ ମିଡିଆ ଓ ଆଙ୍କରମାନଙ୍କ ଘୃଣା ସୃଷ୍ଟିକାରୀ କାର୍ୟ୍ୟକ୍ରମ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ମାମଲାର ଶୁଣାଶି କରିଥିବା ବିଚାରପତି କେ.ଏମ୍ ଜୋସେଫ କହିଛନ୍ତି, ଘୃଣା ସୃଷ୍ଟିକାରୀ ଭାଷଣ ସମାଜ ପାଇଁ ବଡ଼ ବିପଦ ଏବଂ ଭାରତରେ ଏକ ମୁକ୍ତ ଓ ସନ୍ତୁଳିତ ପ୍ରେସର ଆବଶ୍ୟକତା ରହିଛି । ଆଜିକାଲି ସବୁକିଛି ଟିଆରପି ଦ୍ୱାରା ପରିଚାଳିତ ହେଉଛି ଏବଂ ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି । ଏଭଳି କାର୍ୟ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କୁ କାର୍ୟ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ମତ ରଖିବା ସହ ଜଷ୍ଟିସ୍ ଜୋସେଫ କହିଛନ୍ତି ଯେ ଖବରକାଗଜ ତୁଳନାରେ ଦୃଶ୍ୟ ମାଧ୍ୟମ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି । ଦୃଶ୍ୟ କାରଣରୁ ସମାଜରେ ବିଭାଜନ ସୃଷ୍ଟି ହେଉଛି ।
ସେ ଆହୁରି କହିଛନ୍ତି, ଏକ ଲାଇଭ କାର୍ୟ୍ୟକ୍ରମର ନିରପେକ୍ଷତାର ଚାବି ଆଙ୍କରଙ୍କ ହାତରେ ରହିଥାଏ । ଯଦି ଆଙ୍କର ନିରପେକ୍ଷ ନୁହଁନ୍ତି, ତାହେଲେ ସେ କୌଣସି ଏକ ପକ୍ଷକୁ ପ୍ରୋଜେକ୍ଟ କରିବାକୁ ଚାହିଁବେ ଏବଂ ଅନ୍ୟପକ୍ଷକୁ ମ୍ୟୁଟ୍ କରିବେ, ଯାହା ପକ୍ଷପାତିତାର ପ୍ରତୀକ । ତେଣୁ ଏଭଳି ଆଙ୍କରଙ୍କୁ ହଟାଇବା ଦରକାର ବୋଲି ବିଚାରପତି ଜୋସେଫ କହିଛନ୍ତି । ନିକଟରେ ଏୟାରଇଣ୍ଡିଆ ବିମାନରେ ଘଟିଥିବା ପରିସ୍ରା କାଣ୍ଡକୁ ନେଇ କିଛି ଟିଭି ଚ୍ୟାନେଲ ଅଭିଯୁକ୍ତଙ୍କ ବିରୋଧରେ କଟୁ ଭାଷାର ପ୍ରୟୋଗ କରିଥିଲେ । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।