ନୂଆଦିଲ୍ଲୀ (ଆମ ଟିଭି): ଦେଶର ବଜେଟ ଆସିବା ପରେ ଏବେ ଗୃହରେ ଚାଲିଛି ଆଦାନୀ ଝଡ଼ । ଆଦାନୀ ଗ୍ରୁପକୁ ନେଇ ଚାଲିଥିବା ବାଦବିବାଦ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିମର୍ଳା ସୀତାରମଣ। ଦେଶରେ ବ୍ୟବସାୟ ଠିକ୍ ଭାବେ ଚାଲିଛି। ବିଜନେସ୍ ଟାଇକୁନ୍ ଆଦାନୀ ଗ୍ରୁପର ବ୍ୟବସାୟ ନିବେଶକଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଆଶା ରଖିଛନ୍ତି।
ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ ଅଫ କମ୍ପାନୀ ସେୟାରରେ ସୁନାମୀ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ କମ୍ପାନୀର ନେଟଓ୍ବର୍ଥ କମୁଥିବା ବେଳେ ଆଦାନୀ ଗ୍ରୁପର ତିନିଟି କମ୍ପାନୀକୁ ସର୍ଟଟର୍ମ ଆଡିସନାଲ ସର୍ଭିଲାନ୍ସରେ ରଖାଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଏହି ସୂଚନା ମିଳିଛି । ଏପରିକି ଆଦାନୀ ଗ୍ରୁପର ବଜାର ଭ୍ୟାଲୁ ୧୨୦ ଆରବ ଆମେରିକୀୟ ଡଲାରକୁ ଖସିଛି । ଆଡିସନାଲ ସର୍ଭିଲାନ୍ସ ମେଜରରେ ଆଦାନୀ ଏଣ୍ଟରପ୍ରାଇଜେସ ସହ ଆଦାନୀ ବନ୍ଦର ଓ ଅମ୍ବୁଜା ସିମେଣ୍ଟକୁ ତାଲିକାଭୁକ୍ତ କରାଯାଇଛି । କମ୍ପାନୀର ବଜାର ତଦାରଖ ପାଇଁ ଏହାକୁ ସର୍ଭିଲାନ୍ସରେ ରଖାଯାଇଛି ବୋଲି ଏକ୍ସଚେଞ୍ଜ ପକ୍ଷରୁ କୁହାଯାଇଛି ।