ନୂଆଦିଲ୍ଲୀ(ଆମ ଟିଭି): ଖଲିସ୍ତାନୀଙ୍କ ଉପରେ ପଞ୍ଜାବ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ । ଖାଲିସ୍ତାନୀ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ତାର ୬ ସହଯୋଗୀଙ୍କୁ ଗିରଫ କରିଛି ପଂଜାବ ପୁଲିସ । ପ୍ରଥମେ ଅମୃତପାଲର ସହଯୋଗୀମାନେ ଧରା ପଡ଼ିବା ପରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରାଯାଇଛି । ତାକୁ ଧରିବାକୁ ପ୍ରାୟ ୧୦୦ଟି ଗାଡ଼ିରେ ପୁଲିସ ପିଛା କରିଥିଲା । ପୁଲିସ ଅମୃତପାଲର ସହଯୋଗୀମାନଙ୍କୁ ଜଳନ୍ଧର ଜିଲ୍ଲାର ମେହତପୁର ଥାନାରେ ଅଟକ ରଖିଛି ।
ସୁରକ୍ଷା ଦୃଷ୍ଟିକୋଣରୁ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଞ୍ଜାବର ଅନେକ ସ୍ଥାନରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ସଙ୍ଗରୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି। ସଙ୍ଗରୁର ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଜିଲ୍ଲା । ଅମୃତସର-ଜଳନ୍ଧର ରାଜପଥରେ ମଧ୍ୟ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି। ବରନାଲା ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା କୁ ମଧ୍ୟ ବନ୍ଦ କରି ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ସମଗ୍ର ପଞ୍ଜାବରେ ରବିବାର ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।