ଯୋଗୀ ସରକାରଙ୍କୁ ପ୍ରଶଂସା, ଜାଣନ୍ତୁ କିଏ କଲା

0

ନୂଆଦିଲ୍ଲୀ :ପଞ୍ଜାବୀ ସିଙ୍ଗରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ସିଦ୍ଧୁ ମୁସେୱାଲାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ବାପା ବଲକୌର ସିଂହ ଖୋଲାଖୋଲି ଭାବେ ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରିଛନ୍ତି। ୟୁପି ସରକାର ମାଫିଆ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବୁଲଡୋଜର ଲଗାଇ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି। ଯୋଗୀ ସରକାରଙ୍କ ଏପରି କାମକୁ ବଲକୌର ପ୍ରଶଂସା କରିଛନ୍ତି।

ମୁସେୱାଲାଙ୍କୁ ଗତବର୍ଷ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ତାଙ୍କ ବାପା କହିଛନ୍ତି, “ମାଫିଆ ଓ ଗ୍ୟାଙ୍ଗଷ୍ଟର ମୋ ଘରେ ପଶିଥିଲେ। କିନ୍ତୁ ପଞ୍ଜାବ ସରକାର କିଛି ବି କରିପାରିଲେ ନାହିଁ। ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥା ମୋର ମନେ ପଡ଼ୁଛି। ମୁଁ ନିଶ୍ଚିତ ହୋଇ କହିପାରିବି ଯେ ଲୋକସଭା ନିର୍ବାଚନ ବେଳେ ସମସ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାମ ପାଇଁ ଭୋଟ ଦେବେ। ଆପଣମାନେ ନିଶ୍ଚିତ କହିବେ ଯେ ୟୁପି ପରଷ୍କାର(ଗ୍ୟାଙ୍ଗଷ୍ଟର ଓ ମାଫିଆ ମୁକ୍ତ) ହୋଇଯାଇଛି। କିନ୍ତୁ ପଞ୍ଜାବରେ କ’ଣ ସବୁ ଚାଲିଛି?”

ପଞ୍ଜାବର ମାନସା ଜିଲ୍ଲାରେ ମୁସେୱାଲାଙ୍କୁ ୨୦୨୨ ମସିହା ମେ’ ୨୯ରେ ଗୁଳି କରି ହତ୍ୟା କରାଯାଇଥିଲା। ରାଜ୍ୟରେ ଜାରି ରହିଥିବା ଗ୍ୟାଙ୍ଗୱାର ପରିଣାମ ସ୍ୱରୂପ ତାଙ୍କୁ ଜୀବନ ଦେବାକୁ ପଡ଼ିଥିଲା। ତାଙ୍କ ମୃତ୍ୟୁକୁ ବର୍ଷେ ପୂରି ନଥିଲେ ମଧ୍ୟ ପରିବାର ଲୋକ ଆଗୁଆ ଅର୍ଥାତ ରବିବାର ଦିନ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ କରିଛନ୍ତି। ଏହି ଅବସରରେ ମୁସେୱାଲାଙ୍କ ବାପା ୟୁପି ସରକାରଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.