ଆଜି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

0

ଭୁବନେଶ୍ୱର(ଆମ ଟିଭି): ଆଜି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣି । ଦ୍ୱାଦଶୀ ଅର୍ଥାତ୍ ରବିବାର ଦିନ ମାଉସୀ ମା’ ଘରୁ ବାହୁଡିବେ । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ପହଣ୍ଡି ନୀତି ସାଢେ ୧୨ଟାରେ ଆରମ୍ଭ ହୋଇ ସାଢେ ଗୋଟାଏରେ ଶେଷ ହେବ । ରଥ ଉପରେ ପୂଜା ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସରିବା ପରେ ରଥ ଟଣା ଆରମ୍ଭ ହେବ । ଠାକୁର ରାମେଶ୍ୱର ମନ୍ଦିରକୁ ୭ଟା ୩୦ରେ ବିଜେ କରିବେ । ଅଶୋକାକୁଣ୍ଡ ପାଣିରେ ସ୍ନାନ କଲାପରେ ୧୪ଟି ଅଶୋକ କଢି ଲାଗି କରାଯିବ । ଏହା ପରେ ଭେଟ ଆଳତି ନୀତିରେ ମହାପ୍ରଭୁ ରାମେଶ୍ୱରଙ୍କୁ ସାକ୍ଷାତ କରିବେ । ରୁକୁଣା ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨ ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି ରାଙ୍କର ଅଧିକାରୀ ଓ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

କେତେକ ସ୍ଥାନରେ ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ ସହ ଭିଡ଼ରେ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖାଯିବ । ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଫୁଟେଜ୍ ଉପରେ ନଜର ରଖାଯିବା ସହ ସାଦା ପୋଷାକଧାରୀ ପୁଲିସ ମଧ୍ୟ ଭିଡ଼ ଭିତରେ ପଇଁତରା ମାରିବେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାମେଶ୍ୱର ଛକ, ଇଲେକ୍ଟ୍ରିକ୍ ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍ କରିଦିଆଯିବ । ମାଉସୀ ମା’ ଛକରୁ ରଥ ରୋଡ୍ରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି ।

Leave A Reply

Your email address will not be published.