କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କାପୁରୁଷ କହି ବର୍ଷିଛନ୍ତି ତାଙ୍କ ଆସାମ ପ୍ରତିପକ୍ଷ ହିମନ୍ତ ବିଶ୍ୱଶର୍ମା। କିଛି ଦିନ ତଳେ କେଜ୍ରିୱାଲ ତାଙ୍କୁ ଦିଲ୍ଲୀ ବାସଭବନରେ ଚା’ ଓ ଲଞ୍ଚ କରିବାକୁ ନିମନ୍ତ୍ରଣ କରିଥିଲେ। ହେଲେ ହିମନ୍ତ ବିଶ୍ୱଶର୍ମା ଆମ ଆଦମୀ ପାର୍ଟି (ଆପ) ମୁଖ୍ୟଙ୍କୁ କାପୁରୁଷ କହି ସମାଲୋଚନା କରିଛନ୍ତି।
କେଜ୍ରିୱାଲଙ୍କ ଚା’ ନିମନ୍ତ୍ରଣର ଜବାବ ଦେଇ ହିମନ୍ତ କହିଛନ୍ତି, “ଆମେ ଆମ ଅତିଥିମାନଙ୍କୁ ଭଗବାନ ଭାବେ ବିବେଚନା କରୁ। କିନ୍ତୁ ଔରଙ୍ଗଜେବ ଯେତେବେଳେ ଆସାମ ଆସିଥିଲେ ଲଚିତ ବାରଫୁକନ ତାଙ୍କୁ କୌଣସି ପ୍ରକାରର ଆତିଥ୍ୟ ଦେଇ ନଥିଲେ। ଏବେ ଆପଣ ଆସାମରେ ମିଛ କହିବାକୁ ଆସିଛନ୍ତି। କାହିଁକି ମୁଁ ଆପଣଙ୍କୁ ଅତିଥି ବୋଲି ବିବେଚନା କରିବି?
ତଥାପି ମୁଁ ଆପଣଙ୍କୁ ସୁରକ୍ଷା ଦେଇଛି। ମୁଁ କରୋନା ବେଳେ ଅନେକ ଟ୍ୱିଟ କରିଥିଲି। ହେଲେ ଆପଣ ଗୋଟିଏର ବି ଜବାବ ଦେଇ ନଥିଲେ। ଦୟା କରି ଆମକୁ ଏକା ଛାଡ଼ି ଦିଅନ୍ତୁ। ଆମକୁ ଆମ ଆଦମୀ ହେବାର ନାହିଁ, ଆମେ ଖାସ ଆଦମୀ ହୋଇ ରହିବୁ। ଆସାମ ବିକାଶର ରାସ୍ତାରେ ଯାଉଛି। ଏଥିପାଇଁ ଆମକୁ ଆମ ଆଦମୀର ଆବଶ୍ୟକ ନାହିଁ। ଆମେ ଖାସ ଆଦମୀ ଭାବେ ରହିବୁ ଓ ବିକାଶ କରିବୁ। ମୁଁ ରାଜ୍ୟର ୩.୫ କୋଟି ଖାସ ଆଦମୀଙ୍କୁ ଆଗକୁ ନେବି।”
କେଜ୍ରିୱାଲ ଦିଲ୍ଲୀ ଆସିବା ପାଇଁ କରିଥିବା ନିମନ୍ତ୍ରଣ ଉପରେ ଶର୍ମା ଆହୁରି କହିଛନ୍ତି, “ମୁଁ ଆସାମର ୫୦ ଜଣଙ୍କୁ ପଠାଇବି। ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକ ରହିବେ। କେଜ୍ରିୱାଲ ସେମାନଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ନେବେ। ଆମେ ଚାହୁଁଥିବା ସ୍ଥାନଗୁଡ଼ିକୁ ସେ ସମସ୍ତଙ୍କୁ ନେବେ। ସେ ଚାହୁଁଥିବା ସ୍ଥାନକୁ ନୁହେଁ। ଏହି ସର୍ତ୍ତରେ ମୁଁ ଆସାମ ଲୋକଙ୍କୁ ପଠାଇବି। ଦିଲ୍ଲୀର ୬୦% ଲୋକ ନର୍କରେ ରହୁଛନ୍ତି। କିନ୍ତୁ ଆସାମର ୯୫% ଲୋକ ସ୍ୱର୍ଗରେ ରହୁଛନ୍ତି।”