ନୂଆଦିଲ୍ଲୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜୁଲାଇ ୧ତାରିଖରେ ଆରମ୍ଭ ହେବ ଅମରନାଥ ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜୁଲାଇ ୧ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ତାରିଖ ପର୍ୟ୍ୟନ୍ତ ୬୨ଦିନ ଧରି ଚାଲିବ ଯାତ୍ରା । ଏଥିପାଇଁ ଏପ୍ରିଲ ୧୭ରେ ଆରମ୍ଭ ହେବ ପଂଜୀକରଣ । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଏହି ପଂଜୀକରଣ କରିହେବ । ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଓ ସୁବିଧାରେ ଅମରନାଥ ଯାତ୍ରା କରିପାରିବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଉପରାଜ୍ୟପାଳ ସୂଚନା ଦେଇଛନ୍ତି ।
କଶ୍ମୀରଘାଟିର ଅନନ୍ତନାଗ ଜିଲ୍ଲାରେ ଥିବା ଅମରନାଥ ଗୁମ୍ପାରେ ବାବା ଅମରନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଶ୍ରଦ୍ଧାଳୁଙ୍କ ରହିବା ଓ ଖାଇବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ, ସେନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।