କାହିଁକି ନିଜ ବିଧାୟକଙ୍କୁ ନେଇ ଏମିତି କହିଲେ ଏନସିପି ମୁଖ୍ୟ ଶରତ ପାୱାର
ନୂଆଦିଲ୍ଲୀ :ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ଦଳର ମୁଖପତ୍ର ସାମ୍ନାରେ ସାଂଘାତିକ ତଥ୍ୟ ଦେଇଛନ୍ତି। ଏନସିପି ଖୁବଶୀଘ୍ର ବିଜେପିରେ ସାମିଲ ହେବ ବୋଲି ଚର୍ଚ୍ଚା ଭିତରରେ ସାମ୍ନାରେ ଅତ୍ୟନ୍ତ ରୋଚକ କଥା ପ୍ରକାଶ ପାଇଛି। ଏପ୍ରିଲ ୧୧ରେ ଏନସିପି ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ।
ଏହି ସମୟରେ ଶରଦ ପାୱାର ସ୍ପଷ୍ଟ କରିଥିଲେ ଯେ ଏନସିପି କେବେ ହେଲେ ବିଜେପି ସହ ହାତ ମିଳାଇବ ନାହିଁ। କୌଣସି ବିଧାୟକ ଦଳ ଛାଡ଼ିବାର ମଧ୍ୟ ନାହିଁ। କିନ୍ତୁ ବିଧାୟକମାନଙ୍କ ପରିବାର ଲୋକଙ୍କୁ ନିୟମିତ ଟାର୍ଗେଟ କରାଯାଉଛି। ଏପରି ସ୍ଥିତିରେ ଯଦି ବିଧାୟକମାନେ କୌଣସି ନିଷ୍ପତ୍ତି ନେବେ, ତା’ହେଲେ ଏହା ସେମାନଙ୍କ ବ୍ୟକ୍ତିଗତ ମତ ହେବ।
ଏଥିରେ ଏନସିପିର କୌଣସି ପ୍ରକାରର ଭୂମିକା ରହିବ ନାହିଁ ବୋଲି ଶରଦ ପାୱାର ଭେଟଘାଟ ବେଳେ ଉଦ୍ଧବ ଠାକରେଙ୍କୁ କହିଥିବା ସଞ୍ଜୟ ରାଉତ ସାମ୍ନାରେ ଉଲ୍ଲେଖ କରିଛନ୍ତି।
ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର କିଛି ବଧାୟକ କ୍ଷମତାସୀନ ଏକନାଥ ସିନ୍ଦେ ସରକାରଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୁପ୍ରିମକୋର୍ଟ ଯଦି ଶିବସେନାର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି, ତା’ହେଲେ ଏନସିପି ବିଧାୟକମାନେ ସିନ୍ଦେଙ୍କ ସରକାର ବଞ୍ଚାଇବା ପାଇଁ ସମର୍ଥନ କରିବେ ବୋଲି କୁହାଯାଉଛି। ଏହି ଚର୍ଚ୍ଚା ଭିତରେ ଶରଦ ପାୱାର ଏପ୍ରିଲ ୧୧ରେ ଏପରି କଥା କହିଛନ୍ତି।