ସୁଦାନରୁ ଉଦ୍ଧାର ହେଲେ ୫୦୦ ଭାରତୀୟ

0

ନୂଆଦିଲ୍ଲୀ :ତୃତୀୟ ଦଫାରେ ସୁଦାନରେ ଫସି ରହିଥିବା ୧୩୫ ଜଣ ଭାରତୀୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଭିଯାନ ‘କାବେରୀ’। ଭାରତୀୟ ବୟୁସେନା ଯୁଦ୍ଧ ବିମାନ(ସି-୧୩ଜେ) ବୁଧବାର ସୁଦାନର ଜେଧା ବନ୍ଦରରୁ ଏହି ଭାରତୀୟଙ୍କୁ ଉଦ୍ଧାର କରିଛି। ଏହା ପୂର୍ବରୁ ଏହି ଯୁଦ୍ଧ ବିମାନ ଯୋଗେ ୧୨୧ ଜଣ ଭାରତୀୟଙ୍କ ସୁଦାନରୁ ଉଦ୍ଧାର କରିବା ଅଭିଯାନ ସଫଳ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ସେପଟେ ଜଳସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ସୁମେଧା ଜେଧା ବନ୍ଦରରେ ପହଞ୍ଚି ୨୭୮ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି। ଏପରି ଭାବେ ତିନି ପର୍ଯ୍ୟାୟରେ ପ୍ରାୟ ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।

ସେପଟେ ସୁଦାନରେ ଥିବା ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଶିବିରରେ ପହଞ୍ଚିବା ଓ ସେଠାରେ ଆବଶ୍ୟକ ସୁବିଧା ଯୋଗାଇଦେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘନଘନ ସମୀକ୍ଷା କରାଯାଉଛି।

ସୂଚନା ଥାଉକି, ସୁଦାନର ରାଜଧାନୀ ଖାର୍ତୁମ୍‌ରେ ଗୃହ ଯୁଦ୍ଧ ଯୋଗୁ ଏଠାରେ ହିଂସା ଲାଗି ରହିଛି। ତେଣୁ ଲୋକଙ୍କୁ ଆବଶ୍ୟକ ମୌଳିକ ସୁବିଧା ମିଳିପାରୁନି। ସୁଦାନରେ ରହୁଥିବା ପ୍ରାୟ ୪ ହଜାର ଭାରତୀୟଙ୍କ ଭିତରୁ ୫ଶହ ସୁଦାନର ଜେଧା ବନ୍ଦରରେ ପହଞ୍ଚ ଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧ ପୀଡ଼ିତ ସୁଦାନରୁ ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ ଭାରତ ସରକାର ଅପରେଶନ ‘କାବେରୀ’ ଆରମ୍ଭ କରିଛନ୍ତି।

ତେବେ ଗୃହ ଯୁଦ୍ଧ ଯୋଗୁ ଗୁଳିଗୋଳା ବର୍ଷଣ ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ପ୍ରତିବଦ୍ଧକ ସୃଷ୍ଟି ହୋଇଛି। ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ସୁଦାନରେ ମୁହାଁମୁହିଁ ହୋଇଛନ୍ତି ସେନା ଓ ଅର୍ଦ୍ଧ ସାମରିକ ବାହିନୀ। କ୍ଷମତାକୁ ଅକ୍ତିଆର କରିବାକୁ ଆର୍ମି ଚିଫ୍ ଅବଦେଲ ଫତେହ ଅଲ-ବୁରହାନ ଏବଂ ତାଙ୍କ ଡେପୁଟି ଚିଫ୍ ତଥା ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ର ପ୍ରମୁଖ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ମଧ୍ୟରେ ପ୍ରାୟ ସପ୍ତାହେ ହେଲା କ୍ଷମତା ଦଖଲ କରିବାକୁ ଏହି ହିଂସାକାଣ୍ଡ ଚାଲିଛି।

Leave A Reply

Your email address will not be published.