ପୁଣି ଆଉ ଏକ ବିବାଦରେ ଟ୍ରମ୍ପ
ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ କମିବାର ନାମ ନେଉନାହିଁ। ଟ୍ରମ୍ପ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହା ପୂର୍ବରୁ ତାଙ୍କ ସାମ୍ନାରେ ଏକ ସଙ୍କଟ ମୁଣ୍ଡ ଟେକିଛି। ଷ୍ଟାମର୍ମି ଡେନିଏଲ୍ସ ମାମଲାରେ ହୋଇଥିବା ଅଭିଯୋଗର ସାମ୍ନା କରୁଥିବା ଟ୍ରମ୍ପଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି।
ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲାର ଶୁଣାଣି କରୁଥିବା ଆମେରିକାର ଏକ କୋର୍ଟ କହିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ଆମେରିକା ସ୍ତମ୍ଭକାର ଇ ଜିନ କ୍ୟାରୋଲଙ୍କ ସହ ଦୁଷ୍କର୍ମ କରିବା ସହ ଅପମାନ ଜନକ ଟିପ୍ପଣୀ ଦେଇ ତାଙ୍କୁ ପରିହାସ କରିଥିବା ଅଭିଯୋଗ ହୋଇଛି।’
ଏହି ଅଭିଯୋଗକୁ କେନ୍ଦ୍ର କରି ଡୋନାଲ୍ଡ ଟ୍ରମ୍ପଙ୍କ ଓକିଲ ବହୁପ୍ରତିକ୍ଷୀତ କାର୍ଯ୍ୟାନୁଷ୍ଠାନର ଆରମ୍ଭରେ ତର୍କ କରିଥିଲେ,‘ କି ଜିନ କ୍ୟାରୋଲ ଏସବୁ ଅଧିକ ଅର୍ଥ ଓ ନାମ କମାଇବାକୁ କରିଛନ୍ତି। ଏହି ଘଟଣା ପଛରେ କୌଣସି ବି ସତ୍ୟତା ନାହିଁ।’
ଇ ଜିନ କ୍ୟାରୋଲ ପ୍ରଥମଥର ୨୦୧୯ରେ ଅଭିଯୋଗ କରି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ମାନହାନୀ ମାମଲା ରୁଜୁ କରିଥିଲେ। କିନ୍ତୁ ସେତେବେଳେ ଟ୍ରମ୍ପ ତାଙ୍କ ସହ ଦୁଷ୍କର୍ମ କରିଥିବାର ଦାବି କରିବାକୁ ସେ ଅସମର୍ଥ ଥିବା କହିଥିଲେ।
ନଭେମ୍ବର ୨୦୨୨ରେ ନ୍ୟୁୟର୍କରେ ଏକ ନୂଆ ଆଇନ ଗଠନ ହୋଇଥିଲା। ଏହି ଆଇନ ଅନୁଯାୟୀ,ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡତା/ପୀଡିତ ଦଶବର୍ଷ ପରେ ବି ମାମଲା ରୁଜୁ କରିବା ପାଇଁ ଗୋଟିଏ ବର୍ଷର ଅନୁମତି ଦିଆଯାଇଥିଲା। ଏହି ଆଇନ ଅନୁଯାୟୀ ଇ ଜିନ କ୍ୟାରୋଲ ଏକ ନୂଆ ମାମଲା ରୁଜୁ କରିଥିଲେ। ଯେଉଁଥିରେ ସେ ଅଭିଯୋଗ କରି କହିଥିଲେ କି, ‘ଟ୍ରମ୍ପ ତାଙ୍କ ସହିତ ଜୋରଜବରଦସ୍ତି କରିବା ସହିତ ଦୁଷ୍କର୍ମ କରିଥିଲେ।’