ନୂଆଦିଲ୍ଲୀ(ଆମ ଟିଭି): ଆଜି ଛତିଶଗଡରେ ଏକ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛି । ଦାନ୍ତେୱାଡାର ଅରନପୁର ଅଞ୍ଚଳରୁ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ୧୦ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ଗାଡିକୁ ଲକ୍ଷ୍ୟ କରି ଆଇଇଡି ବିସ୍ଫୋରଣ କରିଥିଲେ ନକ୍ସଲ । ତେବେ ଏହି ଆକ୍ରମଣ ପରେ ନକ୍ସଲଙ୍କୁ ଘେରି ଅପରେସନ ଆରମ୍ଭ କରିଛି ପୋଲିସ । ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ତେବେ ଏହା ଭିତରେ ପୋଲିସକୁ ସହାୟତା କରିବାକୁ ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏହି ଆକ୍ରମଣକୁ କଡା ନିନ୍ଦା କରିବା ସହ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି କାହାକୁ ଛଡାଯିବନି । ଯୋଜନାବଦ୍ଧ ଭାବେ ନକ୍ସଲଙ୍କୁ ନିପାତ କରାଯିବ । ଏବେ ଅନ୍ତିମ ଲଢେଇ ଚାଲିଛି, କୌଣସି ରୂପେ ନକ୍ସଲଙ୍କୁ ଛଡାଯିବନି । ଏହାସହ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଭୂପେଶ ବାଘେଲ ।