ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ । ଏହାରି ଭିତରେ ଆଜି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ଦାବି ବାବଦରେ ଅବଗତ ହୋଇଛନ୍ତି । ପ୍ରିୟଙ୍କାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କୁ ଭେଟିବେ । ଗତକାଲି କଂଗ୍ରେସର କିଛି ନେତା ମଧ୍ୟ ଧାରଣାସ୍ଥଳକୁ ଯାଇ ସମର୍ଥନ କରିଥିଲେ ।
କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି । ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । କନ୍ନୌଟ ପ୍ଲେସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟ ଅଧିନରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ, ଅନ୍ୟଟି କୁସ୍ତି ଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଦ୍ବିତୀୟ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ନେଇ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ସେପଟେ ବ୍ରିଜ ଭୂଷଣ କହିଛନ୍ତି- ସେ ସଭାପତି ପଦ ତ୍ୟାଗ କରିବାକୁ ପ୍ରସ୍ତୁତ । ମାତ୍ର ଜଣେ ଅଭିଯୁକ୍ତ ହିସାବରେ ସେ ଇସ୍ତଫା ଦେବେ ନାହିଁ । ତେଣେ ନ୍ୟାୟ ପ୍ରଦାନ ଦାବିରେ ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା ।