କାଲି ହେବ ମନ୍ତ୍ରୀ ମଣ୍ଡଳର ସଂମ୍ପ୍ରସାରଣ

0

ଭୁବନେଶ୍ୱର: ଆସନ୍ତାକାଲି ନବୀନ ପଟ୍ଟନାୟକ ନିଜର ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାକୁ ଯାଉଛନ୍ତି । ଆସନ୍ତାକାଲି ନୂଆମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାବେଶ ଅନୁଷ୍ଠିତ ହେବ । ସକାଳ ୯.୫୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଜାରି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ତାରିଖରେ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ସମ୍ଭାବ୍ୟ ସମ୍ପ୍ରସାରଣରେ ୪ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇବାର ସମ୍ଭାବନା ରହିଛି । ନବ ଦାସଙ୍କ ହତ୍ୟା ଯୋଗୁ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଥିବାବେଳେ ଅନ୍ୟ ୨ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଅନ୍ୟ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି ଜଣାପଡ଼ିଛି । ୨୨ ତାରିଖ ସକାଳ ସାଢ଼େ ୯ଟାରୁ ୧୦ ମଧ୍ୟରେ ଲୋକସେବା ଭବନ ପରିସରରେ ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ନବୀନ ନିଜର ମନ୍ତ୍ରିମଣ୍ଡଳରୁ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିପାରନ୍ତି । ଆଉ ମନ୍ତ୍ରିମଣ୍ଡଳରେ ମୋଟ ୪ଜଣଙ୍କୁ ସାମିଲ କରିପାରନ୍ତି । ଗଞ୍ଜାମ ଜିଲ୍ଲାର ରାଜନୀତିକ ସମୀକରଣକୁ ଦୃଷ୍ଟିରେ ରଖି ଶ୍ରୀକାନ୍ତ ସାହୁଙ୍କ ସ୍ଥାନରେ ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଉରକେଲା ବିଧାୟକ ସାରଦା ନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ସେହିପରି ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ନବନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ନାଁ ବି ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ଆସନ୍ତା ୨୯ତାରିଖ ମଧ୍ୟରେ କ୍ରାଇମବ୍ରାଂଚ ନବ ଦାସଙ୍କ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାର ଥିବାରୁ ତା’ପୂର୍ବରୁ ଝାରସୁଗୁଡ଼ାବାସୀ ଓ ବିଶେଷକରି ନବଙ୍କ ପରିବାରକୁ ମ୍ୟାନେଜ୍ ନିମନ୍ତେ ଦୀପାଳିଙ୍କୁ ମନ୍ତ୍ରିମଣ୍ଡଳରେ ଥଇଥାନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ବାଚସ୍ପତି ପଦରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ,ଅମରପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପ୍ରଦୀପ ଅମାତଙ୍କ ମଧ୍ୟରୁ କାହାରିକୁ ବି ଶେଷ ମୁହୂର୍ତ୍ତରେ ବାଚସ୍ପତି ପଦରେ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଗତ ୧୨ତାରିଖରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ସମେତ ମନ୍ତ୍ରୀପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.