ନୂଆଦିଲ୍ଲୀ (ଆମ ଟିଭି): ପୁଣି ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ନୂଆ ଦାୟିତ୍ୱ। ଏହି ଦାୟିତ୍ୱ ତାଙ୍କୁ ତ୍ରିପୁରା ସରକାରଙ୍କ ପକ୍ଷରୁ ଦିଆଯାଇଛି। ତାଙ୍କୁ ତ୍ରିପୁରା ପର୍ୟ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି।
ମଙ୍ଗଳବାର ତ୍ରିପୁରାର ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ କୋଲକାତା ଆସି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ ଓ ତାଙ୍କ ସରକାର ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଜଣାଇଥିଲେ। ଆଉ ଏହି ପ୍ରସ୍ତାବରେ ସୌରଭ ଗାଙ୍ଗୁଲି ରାଜି ହୋଇଥିଲେ।
ସୌରଭ ସହମତି ପ୍ରକାଶ କରିବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡାକ୍ତର ମାନିକ ସାହା ଟ୍ୱିଟ କରି କହିଥିଲେ, ଏହା ଏକ ଗୌରବର କଥା ଯେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆମ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି।