ଏନ୍ଭିଏସ୍-୧’ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ
ଶ୍ରୀହରିକୋଟା: ଆଜି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥି ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଏନ୍ଭିଏସ୍-୧’ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ କରାଇଛି।
୨୨୩୨ କିଲୋଗ୍ରାମ୍ ଓଜନର ଏହି ଦିଗବାରେଣୀ ବା ‘ନେଭିଗେସନ୍ ସାଟେଲାଇଟ୍’କୁ ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ର ଦ୍ବିତୀୟ ଲଞ୍ଚ୍ ପ୍ୟାଡ୍ରୁ ୫୧.୭ ମିଟର୍ ଉଚ୍ଚ ରକେଟ୍ ‘ଜିଏସ୍ଏଲ୍ଭି ଏଫ୍୧୨’ଦ୍ବାରା ମହାକାଶକୁ ଉତ୍କ୍ଷେପଣ କରାଯାଇଛି।
ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦.୪୨ରେ ଛଡ଼ାଯାଇଥିବା ଏହି ରକେଟ୍ ୨୦ ମିନିଟ୍ ଧରି ମହାକାଶକୁ ଉଠିବା ପରେ ସେଥିରେ ଥିବା ସାଟେଲାଇଟ୍କୁ ତା’ର ନିର୍ଦ୍ଦିଷ୍ଟ କକ୍ଷପଥକୁ ଛଡ଼ାଯାଇଥିଲା।
ଏହି ସାଟେଲାଇଟ୍ ଉଭୟ ସାମରିକ ଓ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସେବା ଯୋଗାଇବ। ଏହାର ନେଟ୍ୱାର୍କ ଅଞ୍ଚଳ ଭାରତ ଓ ଭାରତ ସୀମା ବାହାରର ୧୫୦୦ କିଲୋମିଟର୍ ପରିବ୍ୟାପ୍ତ ଅଞ୍ଚଳରେ କାର୍ଯ୍ୟ କରିବ।
ଏହି ସାଟେଲାଇଟ୍ ୧୨ ବର୍ଷରୁ ଅଧିକ ସମୟ ଧରି କକ୍ଷପଥରେ ପରିକ୍ରମା କରିବା ସହିତ ସେବା ଯୋଗାଇବ ବୋଲି ‘ଇସ୍ରୋ’ କହିଛି।