ଆନ୍ଦୋଳନରୁ ଓହରିବେ ନାହିଁ କୁସ୍ତିଯୋଧ୍ୟା
ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲମାନେ ନିଜ ନିଜ ଚାକିରିକୁ ହଠାତ୍ ଫେରି ଯିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଆନ୍ଦୋଳନରତ ରେସଲରମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିଳମ୍ବିତ ରାତିରେ ଭେଟିଥିଲେ।
ଏହାପରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟଙ୍କ ସମେତ ପ୍ରାୟ ସମସ୍ତ ରେସଲର ନିଜ ନିଜ ସରକାରୀ ଡ୍ୟୁଟିରେ ଯୋଗ ଦେଇଥିଲେ। ଫଳରେ ରେସଲରଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା କୁହାଯାଇଥିଲା। କିନ୍ତୁ ଏହାକୁ ରେସଲରମାନେ ଅଗ୍ରାହ୍ୟ କରିଥିଲେ।
ଆଜି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ଆନ୍ଦୋଳରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର ରେସଲର ବଜରଙ୍ଗ ପୁନିଆ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ହୋଇଥିବା ବୈଠକ ବିଷୟରେ କାହାକୁ କିଛି ନ କହିବାକୁ ସରକାର ସେମାନଙ୍କୁ କହିଥିବା ବଜରଙ୍ଗ କହିଛନ୍ତି।
ସେ କହିଛନ୍ତି, “ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆମର କୌଣସି ପ୍ରକାର ଡିଲ ବା ସେଟିଂ ହୋଇନି। ତଦନ୍ତ ଚାଲିଥିବା ସେ ଆମକୁ କହିଥିଲେ। ତେଣୁ ଆମର ଆନ୍ଦୋଳନ କୌଣସି ପ୍ରକାରର ବନ୍ଦ ହୋଇନି। ଏହା ଚାଲୁ ରହିବ। ଆମେ ଏହି ଆନ୍ଦୋଳନକୁ କେମିତି ଆଗକୁ ନେବୁ, ତା’ର ଉପରେ ବିଚାର ଚାଲିଛି।”