ପ୍ରକୃତିଙ୍କ ଉପରେ ବର୍ଷିଲେ ଟୁଟୁ
ଭୁବନେଶ୍ୱର:ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ପରଠୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏହା ମଧ୍ୟରେ ମୁହଁ ଖୋଲି ପ୍ରକୃତି ମିଶ୍ରଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜୟ ନାୟକ । ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରୁଥିବା ଗତକାଲି ପ୍ରକୃତି ମିଶ୍ର କହିଥିଲେ। ହେଲେ ପ୍ରକୃତି ମିଛ କହୁଛନ୍ତି, ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି ବୋଲି କହିବା ସହ ଏହାକୁ ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି ସଞ୍ଜୟ ନାୟକ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ନାୟକ କହିଛନ୍ତି, ଟୁଟୁ ନାୟକ କ’ଣ ତାହା ଓଡ଼ିଶାବାସୀ ତଥା ଓଡ଼ିଲଡ ଇଣ୍ଡଷ୍ଟ୍ରି ଭଲ ଭାବେ ଜାଣିଛନ୍ତି । ପ୍ରକୃତି ମନ୍ମଥ ମିଶ୍ରଙ୍କ ଝିଅ। ସେ ବମ୍ବେରେ ରୁହେ। ମୋର ତାହା ସହ କିଛି ସମ୍ପର୍କ ନାହିଁ। ବାବୁସାନ କେସ୍ରେ ଉଭୟ ଫ୍ୟାମିଲି ଫିଲ୍ମ ଇଣ୍ଡଷ୍ଟ୍ରିର ହୋଇଥିବାରୁ ମୁଁ କିଛି କହି ନ ଥିଲି।
ଚେନ୍ନାଇରେ ଏକ ହୋଟେଲରେ ବାବୁସାନ ଓ ପ୍ରକୃତି ମିଶ୍ର ଏକ ରୁମ୍ରେ ରହିଥିବାର ଏକ ଚ୍ୟାନେଲରେ ଦେଖାଯାଇଥିଲା। ଏହାପରେ ବି ତାଙ୍କ ମା’ ଝିଅକୁ ଆକଟ କରିବା ପରିବର୍ତ୍ତେ ବାବୁସାନ ଓ ତାଙ୍କ ବାପାମା’ଙ୍କ ନାମରେ ବିଭିନ୍ନ ଭାଷାରେ ଗାଳିଗୁଲଜ କରିଥିଲେ।
ଏହାପରେ ଜଣେ ମୁରବି ହିସାବରେ ସୁପରଷ୍ଟାରଙ୍କୁ ଧରି କିଛି ଲୋକ କାମ ପାଆନ୍ତି, ହେଲେ କାହା ଘର ଭାଙ୍ଗନି ବୋଲି ମୁଁ କହିଥିଲି । ବାବୁସାନର ସ୍ତ୍ରୀ, ପୁଅ ଥିବାରୁ ତା’ ଘର ନ ଭାଙ୍ଗିବାକୁ କହିଥିଲି। ସେବେଠୁ ସେ ମୋ’ ଉପରେ ରାଗ ରଖିଥିବା ବେଳେ ଏବେ ମୋ’ ନାଁରେ କୌଣସି ପ୍ରମାଣ ନ ଥାଇ ଅପପ୍ରଚାର କରୁଛି।