ନୂଆଦିଲ୍ଲୀ (ଆମ ଟିଭି): ଆଜି ଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ ଉଦାହରଣ ପାଲଟୁଥିବା କଥା ଆଜି ୧୦୨ତମ ‘ମନ୍ କୀ ବାତ୍’ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଦୀର୍ଘ ବର୍ଷ ଧରି ଭାରତ ବିକଶିତ କରିଥିବା ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ଆଜି ଦୃଷ୍ଟାନ୍ତ ପାଲଟିଛି। ବାତ୍ୟା ‘ବିପର୍ୟ୍ୟୟ’ କଚ୍ ଜିଲ୍ଲାରେ ପ୍ରଳୟ କଲା, କିନ୍ତୁ କଚ୍ବାସୀ ଅଦମ୍ୟ ସାହସ ଓ ପ୍ରସ୍ତୁତି ସହ ତା’ର ମୁକାବିଲା କଲେ।
ଶୁକ୍ରବାର ଦିନ ପ୍ରବାହିତ ବାତ୍ୟାକୁ ପ୍ରଧାନମନ୍ତ୍ରୀ ମୋଦୀ କଚ୍ରେ ଘଟିଥିବା ଭୂମିକମ୍ପ ସହିତ ତୁଳନା କରି କହିଛନ୍ତି, ଏକଦା ଦୁଇ ଦଶନ୍ଧି ପୂର୍ବେ କଚ୍ର ପୁନରୁଦ୍ଧାର ହୋଇପାରିବ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ, ଆଜି ସେହି ଜିଲ୍ଲା ଦେଶର ଦ୍ରୁତ ବିକାଶଶୀଳ ଜିଲ୍ଲାଗୁଡ଼କ ମଧ୍ୟରେ ରହିଛି। ମୋର ଦୃଢ଼ ବିଶ୍ବାସ ବାତ୍ୟା ‘ବିପର୍ୟ୍ୟୟ’ ଜନିତ କ୍ଷୟକ୍ଷତିକୁ କଚ୍ବାସୀ ତୁରନ୍ତ ସୁଧାରିନେବେ। ଭାରତର ସାମୁହିକ ଶକ୍ତି ସବୁ ସମସ୍ୟାର ସମାଧାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସବୁଠୁ ବଡ଼ ଲକ୍ଷ୍ୟ ହେଉ କି, କଠିନତମ ଆହ୍ବାନ ହେଉ, ଭାରତୀୟଙ୍କ ସାମୁହିକ ଶକ୍ତି , ସାମୁହିକ କ୍ଷମତା, ସମସ୍ତ ଆହ୍ବାନର ସମାଧାନ କରୁଛନ୍ତି।