ନୂଆଦିଲ୍ଲୀ (ଆମ ଟିଭି): ଆସିଲା ମୌସୁମୀ, ଛାଡ଼ିଲା ପାଣି । କଲମା ଓ କେଲୋ ନଦୀରେ ପାଣି ଛାଡ଼ିଲା ଛତିଶଗଡ଼ । ବର୍ଷା ପୂର୍ବରୁ ଛତିଶଗଡ଼ ପ୍ରଥମ କରି ମହାନଦୀକୁ ପାଣି ଛାଡ଼ିଛି । ସ୍ୱଳ୍ପ ବୃଷ୍ଟିପାତ ଓ ଛତିଶଗଡ଼ର ମନମାନି ଯୋଗୁଁ ମହାନଦୀର ଓଡ଼ିଶା ପାର୍ଶ୍ୱ ଟଙ୍ଗରା ଭୂଇଁ ପାଲଟିଥିଲା । ତେବେ ଅଚାନକ ଗତକାଲି ଠାରୁ ଛତିଶଗଡ଼ ସରକାର କଲମା ବ୍ୟାରେଜରେ ୫ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରୁଛନ୍ତି । ଫଳରେ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଶୁଖାସୋଢ଼ା ଓ ଶରଧା ଘାଟରେ ଭଳି ସ୍ଥାନରେ ଆଜି ସକାଳୁ ଅଣ୍ଟାଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।
କେବଳ କଲମା ବ୍ୟାରେଜ ନୁହେଁ ବରଂ କେଲୋ ନଦୀର ଲାଖା ଠାରେ ଥିବା କେଲୋ ଡ୍ୟାମରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି । ଫଳରେ ଛତିଶଗଡ଼- ଓଡ଼ିଶା ସୀମାନ୍ତ ଦେଇ ପ୍ରବାହିତ ହେଉଥିବା କେଲୋ ନଦୀକୂଳିଆ ଲୋକେ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଛତିଶଗଡ଼ରେ ବର୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇନାହିଁ ହେଲେ ପାଣି ନିଷ୍କାସନକୁ ନେଇ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।