ଶାଢ଼ୀ କିଣିଲେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତ ସମୟରେ ଗତକାଲି କେତେକ ଶାଢ଼ୀ କିଣିଛନ୍ତି। ରାଜଧାନୀର ମେହେରସ୍ ଶାଢ଼ି ସୋ ରୁମର ମ୍ୟାନେଜର କିଶୋର ମେହେର କାରିଗର ଚତୁର୍ଭୁଜ ମେହେରଙ୍କ ଦ୍ଵାରା ତିଆରି ଶାଢ଼ି ନେଇ ଗତକାଲି ରାତିରେ ରାଜଭବନ ଯାଇଥିଲେ। ସେ କୋଟପାଡ଼, ବୋମକାଈ, ସମ୍ବଲପୁରୀ, ଇକତ, ପଶାପଲି ଓ ପଟ୍ଟଚିତ୍ର ଆଦି ବିଭିନ୍ନ ପ୍ରକାରର ୩୫ ଖଣ୍ଡ ଶାଢ଼ି ନେଇ ଯାଇଥିଲେ। ରାଷ୍ଟ୍ରପତି ସେଥିମଧ୍ୟରୁ ନିଜ ମନପସନ୍ଦର ୬ ଖଣ୍ଡ ଶାଢ଼ି ଓ ୬ଟି ସୁଟ୍ ପିସ୍ କିଣିଥିଲେ। ପ୍ରାୟ ଦେଢ଼ରୁ ଦୁଇ ଲକ୍ଷ ଟଙ୍କାର ଶାଢ଼ି କିଣିଥିଲେ। ଏଥିଲାଗି ଆଗରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମେହେରସ୍ ଶାଢ଼ି ସୋ ରୁମ ସହିତ ଯୋଗାଯୋଗ କରାଯାଇଥିଲା। ରାଜଭବନରେ ପ୍ରାୟ ୪୦ ମିନିଟ୍ ଯାଏ ଶାଢ଼ି କିଣା କାମ ଚାଲିଥିଲା।
ଏହା ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ଓ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଶ୍ରୀମତୀ ମୁର୍ମୁ ଅନେକ ସମୟରେ ମେହେରସ ଯାଇ ଶାଢ଼ି କିଣଛନ୍ତି। ଓଡ଼ିଆ ବୁଣାକାରଙ୍କ ହାତ ତିଆରି ଶାଢ଼ି ପିନ୍ଧିବାକୁ ଖୁବ୍ ଭଲ ପାଆନ୍ତି ରାଷ୍ଟ୍ରପତି। ସେ ଶାଢ଼ି ବ୍ୟତୀତ କିଛି ସମ୍ବଲପୁରୀ ସୁଟ ପିସ ମଧ୍ୟ ତାଙ୍କ ଝିଅ ପାଇଁ କିଣିଥିଲେ।