ସାଂସଦ ପଦ ଫେରି ପାଇବେ ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ସୁପ୍ରିମକୋର୍ଟ ଆଜି ରୋକ୍‌ ଲଗାଇଛନ୍ତି। ଏହି ମାମଲାରେ ନିମ୍ନ ଅଦାଲତର ବିଚାରପତି ସର୍ବାଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥାନ୍ତା ତେବେ ସେ ଅଯୋଗ୍ୟ ଘୋଷିତ ହୋଇ ନଥାନ୍ତେ। ମାମଲାର ବିଚାର କରି ସୁପ୍ରିମ କୋର୍ଟ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆବେଦନକାରୀଙ୍କ ବକ୍ତବ୍ୟ ଭଲ ନଥିଲା ଏବଂ ଆବେଦନକାରୀ ଭାଷଣ ଦେବା ସମୟରେ ଅଧିକ ଯତ୍ନବାନ ହେବା ଉଚିତ୍‌ ଥିଲା। ଏଥିସହ ‘ଅଯୋଗ୍ୟ ଘୋଷଣାର ପ୍ରଭାବ କେବଳ ଜଣେ ବ୍ୟକ୍ତିବିଶେଷଙ୍କ ଅଧିକାର ଉପରେ ନୁହେଁ ବରଂ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଅଧିକାରକୁ ମଧ୍ୟ ପ୍ରଭାବିତ କରୁଛି ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ବି ଆର୍‌ ଗଭାଇ, ଜଷ୍ଟିସ୍‌ ପିଏସ୍‌ ନରସିଂହ ଏବଂ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ରାୟ ଉପରେ ରୋକ୍‌ ଲଗାଇବା ପାଇଁ ଆଗତ ଆବେଦନର ଶୁଣାଣି କରିଥିଲେ। ପୂର୍ବରୁ ଗୁଜୁରାଟ ହାଇକୋର୍ଟ ଏହି ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ।

ଆଜିର ଶୁଣାଣି କାଳରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଂଘଭି ପୂର୍ବରୁ ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ ହାଇକୋର୍ଟ ୬୬ ଦିନ ପାଇଁ ରାୟ ସଂରକ୍ଷିତ ରଖିଛନ୍ତି ଏବଂ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା କାରଣରୁ ଶ୍ରୀ ଗାନ୍ଧୀ ପୂର୍ବରୁ ଦୁଇଟି ସଂସଦ ଅଧିବେଶନରେ ଯୋଗ ଦେବାରୁ ବଞ୍ଚିତ ହୋଇଛନ୍ତି। ସେ ଏହା ମଧ୍ୟ ଯୁକ୍ତି ବାଢ଼ିଥିଲେ କି ୨୦୧୯ ମାନହାନି ମାମଲାରେ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଭୁଲ୍‌ ଏବଂ ସଂସଦ ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ତାଙ୍କୁ ଏପରି ଭାବରେ ଦଣ୍ଡିତ କରାଯାଇଛି। ନିମ୍ନ ଅଦାଲତ ରାହୁଲଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ, ଯାହା ସାଂସଦ ଭାବରେ ତାଙ୍କର ମାନ୍ୟତା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା।’

Leave A Reply

Your email address will not be published.