ଚିତା ମୃତ ମାମଲା; କେନ୍ଦ୍ରକୁ ସୁପ୍ରିମକୋର୍ଟରେ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ: କେନ୍ଦ୍ରକୁ ଏକ ବଡ଼ ଆଶ୍ବସ୍ତି ସ୍ବରୂପ ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ଯେ, ଭାରତରେ ଚିତାବାଘଙ୍କ ପୁନର୍ବସତି ପାଇଁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି, ତା’ ଉପରେ ପ୍ରଶ୍ନ କରିବାର କୌଣସି ଅବକାଶ ନାହିଁ। କୁନୋ ଜାତୀୟ ଉଦ୍ୟାନରେ ୯ ଚିତାଙ୍କ ମୃତ୍ୟୁ ନେଇ କରାଯାଇଥିବା ଆବେଦନର ଶୁଣାଣି କରିବା ଅବସରରେ କୋର୍ଟ ଏହା କହିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମରିଥିବା ୯ ଚିତା ମଧ୍ୟରେ ୩ଟି ଛୁଆ ଅଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ୨୦ଟି ଚିତା ଆଣି କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିଲା। ତା’ପରେ ଚାରୋଟି ଛୁଆ ଜନ୍ମ ହୋଇଥିଲେ। ୧୯୫୨ ମସିହାରୁ ଭାରତରୁ ଚିତାବଂଶ ଲୋପ ପାଇଯାଇଥିବା ବେଳେ ଦେଶରେ ପୁଣି ଚିତାଙ୍କ ପୁନର୍ବସତି ପାଇଁ ନାମିବ୍ୟାରୁ ଉକ୍ତ ଚିତାମାନଙ୍କୁ ଅଣାଯାଇଥିଲା।
ଗତବର୍ଷ ସେପ୍ଟେମ୍ବର ଓ ଚଳିତବର୍ଷ ଫେବ୍ରୁଆରିରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ଚିତାଙ୍କୁ ଅଣାଯାଇଥିଲା। ଏହା ହେଉଛି ଭାରତରେ ଉକ୍ତ ଅତିଥି ଚିତାଙ୍କ ପ୍ରଥମ ବର୍ଷ। ଭାରତର ଜଳବାୟୁ ସେମାନଙ୍କୁ କିପରି ସୁହାଉଛି ତାହା ଉପରେ ନିରବଚ୍ଛିନ୍ନ ଭାବେ ଅନୁଧ୍ୟାନ କରାଯାଉଛି ବୋଲି ସରକାର କହିଛନ୍ତି। ସରକାରଙ୍କ କହିବା ଅନୁସାରେ ଭାରତରେ ଚିତାବଂଶ ବୃଦ୍ଧି ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ୧୨ରୁ ୧୪ଟି ନୂଆ ଚିତାଙ୍କୁ ଅଣାଯିବ। ସମସ୍ୟା ଅଛି ସତ ମାତ୍ର ତାହା ଉଦ୍ବେଗଜନକ ନୁହେଁ ବୋଲି ସରକାର କହିଛନ୍ତି।