ନୂଆଦିଲ୍ଲୀ(ଆମ ଟିଭି): ହିମାଚଳପ୍ରଦେଶରେ ଏକ କାର ନଦୀ ଭିତରକୁ ଖସି ପଡିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମସ୍ତ ମୃତ ଏବଂ ଆହତ ଇଣ୍ଡିଆନ ରିଜର୍ଭ ବାଟାଲିଅନର ଯବାନ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ଯବାନ ମାନେ ହିମାଚଲ ପ୍ରଦେଶ- ଜମ୍ମୁ କାଶ୍ମୀର ସୀମା ଅଂଚଳର ପେଟ୍ରୋଲିଂ ଦାୟିତ୍ୱରେ ଥିଲେ । ତେବେ ଫେରୁଥିବା ସମୟରେ ଚାମ୍ବା ଜିଲ୍ଲାର ତିସା-ବୈରାଗଡ଼ ରୋଡ୍ରେ ଡ୍ରାଇଭର ଗାଡ଼ି ଉପରୁ ନିଜ ନିୟନ୍ତ୍ରଣ ହରାଇଥିଲେ ।
ଫଳରେ ଗାଡି ରାସ୍ତା କଡ଼ରେ ଥିବା ନଦୀ ଭିତରକୁ ଚାଲି ଯାଇଥିଲା । ଦୁର୍ଘଟଣା ସମୟରେ ୯ ପୁଲିସଙ୍କ ସମେତ ଏସ୍ୟୁଭିରେ ୧୧ ଜଣ ଥିଲେ। ଆହତମାନଙ୍କୁ ତିସାରେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଠାରୁ ସେମାନଙ୍କୁ ଚମ୍ବା ଜିଲ୍ଲାର ଜୋନାଲ ହସ୍ପିଟାଲ୍ ପଠାଇ ଦିଆଯାଇଛି।