ବ୍ରିଟେନରେ ନିଲାମ ହେବ ତାଜମହଲର ମାର୍ବଲ ଖଣ୍ଡ, ୨୪ଲକ୍ଷ ପାଉଣ୍ଡରୁ ଆରମ୍ଭ ହେବ ବୋଲି
ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ସମ୍ପର୍କିତ ଏକ ଜିନିଷ ନିଲାମ ହେବାକୁ ଯାଉଛି। ଫୁଲର ବର୍ଡର ଥିବା ଏକ ମାର୍ବଲ ଖଣ୍ଡ ଆସନ୍ତା ମାସରେ ନିଲାମ ହେବାକୁ ଯାଉଛି। ମାର୍ବଲ ଖଣ୍ଡର ବର୍ଡରରେ ଫୁଲ ଡିଜାଇନ ଏତେ ସୁନ୍ଦର ଭାବେ କରାଯାଇଛି ଯେ ଦେଖିବା ଲୋକଙ୍କ ନଜର ଏଥିରୁ ହଟେନି। ଏହି ଆୟତାକାର ମାର୍ବଲ ଖଣ୍ଡ ସେହି ଦୁଇଟି ମଧ୍ୟରୁ ଅନ୍ୟତମ ଯାହାକୁ କର୍ଣ୍ଣେଲ ପାଉନୋଲ ଫିପସ୍ ୧୮୧୬ ମସିହାରେ ଭାରତରୁ ନେଇଥିଲେ। ସେ ସମୟରେ ସେ ଆଗ୍ରା ଓ ଆଖପାଖର ବିଲ୍ଡିଂ ମରାମତି କାମର ସେ ସୁପରିଣ୍ଟେଣ୍ଡେଣ୍ଟ ଥିଲେ।
ଏହି ମାର୍ବଲ ଟୁକୁରା ପାଇଁ ୨୦ ହଜାରରୁ ୩୦ ହଜାର ପାଉଣ୍ଡ ଅର୍ଥାତ ୨୪ରୁ ୩୬ ଲକ୍ଷ ଭାରତୀୟ ମୁଦ୍ରା ପର୍ଯ୍ୟନ୍ତ ବୋଲି ଲାଗିପାରେ ବୋଲି ଅନୁମାନ କରାଯାଉଛି। ଏହାକୁ ଡିସେମ୍ବର ୯ ତାରିଖ ଦିନ ‘ଲ୍ୟୋନ ଆଣ୍ଡ ଟର୍ଣ୍ଣବୁଲ’ ଅକ୍ସନ ହାଉସ୍ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଇସ୍ଲାମୀ ଓ ଭାରତୀୟ କଳା ନିଲାମରେ ଉପସ୍ଥାପନ କରାଯିବ। ନିଲାମ ସମ୍ପର୍କିତ କାଗଜପତ୍ର ଅନୁସାରେ ଏହି ମାର୍ବଲ ଟୁକୁରା ସହିତ ତାଜମହଲର ଏକ ପୁରୁଣା କଳାଧଳା ଫଟୋ ଓ ଦୁଇଟି ପତ୍ର ମଧ୍ୟ ରହିଛି। ଏଥିରୁ ଗୋଟିକୁ ପାଉନୋଲଙ୍କ ନାତିଙ୍କ ଦ୍ୱାରା ଛପା ଯାଇଥିଲା। ତେବେ ଅନ୍ୟଟି ମାର୍କ୍ୱିସ୍ ଅଫ ବାଥ ଦ୍ୱାରା ହାତରେ ଲେଖା ଯାଇଥିଲା।
କର୍ଣ୍ଣେଲଙ୍କ ପୁଅ ତାଙ୍କ ସଂସ୍ମରଣରେ କହିଛନ୍ତି ଯେ ତାଙ୍କ ପିତାଙ୍କ ଏହି ସଂଗ୍ରହ ତାଜମହଲର ଏକ ଭୂତଳ ଅଂଶରୁ ମିଳିଥିଲା। ସେତେବେଳେ ତାଙ୍କୁ ଲାଗିଥିଲା ଏହି ମାର୍ବଲ ଖଣ୍ଡ ମୋଗଲକାଳୀନ ଏହି ଐତିହାସିକ ସ୍ମାରକର ମରାମତି କାମ ଲାଗି ରଖାଯାଇଥାଇପାରେ। କର୍ଣ୍ଣେଲ ପାଉନୋଲ ଫିପ୍ସଙ୍କ ଜନ୍ମ ୧୭୮୦ ମସିହାରେ ଇଂଲଣ୍ଡର ଡେଭୋନରେ ହୋଇଥିଲା। ସପ୍ତଦଶ ଶତାବ୍ଦୀ ପ୍ରାରମ୍ଭରେ ତାଙ୍କ ପରିବାରର ଲୋକେ ସୈନିକ ଥିଲେ। ଏହି ପରମ୍ପରାକୁ ଆଗକୁ ବଢାଇ ସେ ୧୭୯୯ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବେଙ୍ଗଲ ସେନାରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ। ଇଜିପ୍ଟରେ ସୈନିକଙ୍କ ସହିତ ଯୁଦ୍ଧ ଲଢିବା ପରେ ସେ ଭାରତ ଫେରି ଯାଇଥିଲେ।
ଔପନିବେଶିକ କାଳରେ ତାଙ୍କ ଉପରେ ଅନ୍ୟ ଦାୟିତ୍ୱ ସହିତ ତାଙ୍କ ଉପରେ ତାଜମହଲ ଓ ଅନ୍ୟ ଐତିହାସିକ ଭବନର ଦେଖାଶୁଣା ଦାୟିତ୍ୱ ମଧ୍ୟ ଥିଲା। ନିଲାମକାରୀଙ୍କ ନୋଟ୍ ଅନୁସାରେ ସେ ଏହି କାମକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଥିଲେ। ୧୮୨୩ରେ ପାଉନୋଲ ପରିବାର ସହିତ ବ୍ରିଟେନ ଫେରିଯାଇଥିଲେ, ଯଉଁଠି ୧୮୫୮ରେ ତାଙ୍କର ପରଲୋକ ହୋଇଥିଲା। ଏହି ମାର୍ବଲ ଖଣ୍ଡଟି ୨୦୦ରୁ ଅଧିକ ବର୍ଷ ହେଲା ତାଙ୍କ ପରିବାର ସହିତ ରହିଛି।