ଋତବ୍ରତ ବାନାର୍ଜୀଙ୍କୁ ହାଇକୋର୍ଟ ଝଟକା, ବିରୋଧୀ ଦଳ ନେତା ପଦ ରଦ୍ଦ

0

ପଶ୍ଚିମବଙ୍ଗ ରାଜନୀତିରେ ପୁଣି ହଟଚମଟ । ତୃଣମୂଳ କଂଗ୍ରେସର ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କୁ କଲକାତା ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ବିଧାନସଭାରେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିବା ନେଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଏଥିସହ ଆଗାମୀ ୧୦ ଦିନ ମଧ୍ୟରେ ଏହି ପଦ ପାଇଁ ନୂଆ ନିଷ୍ପତ୍ତି ନେବାକୁ ବାଚସ୍ପତି ରଥିନ୍ଦ୍ର ବୋଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେବଳ ଋତବ୍ରତ ନୁହନ୍ତି, ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ଅଖରୁଜ୍ଜମାନଙ୍କ ନିଯୁକ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି ଜଷ୍ଟିସ୍‌ କୃଷ୍ଣ ରାଓ । ଉଭୟ ପଦବୀକୁ ନେଇ ୧୦ ଦିନ ମଧ୍ୟରେ ପୁନର୍ବିଚାର କରିବାକୁ ବାଚସ୍ପତିଙ୍କୁ କହିଛନ୍ତି ଅଦାଲତ ।

ମମତା ବାନାର୍ଜୀଙ୍କ ଟିଏମ୍‌ସି ଗୋଷ୍ଠୀର ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ବାଚସ୍ପତି ଋତବ୍ରତଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିବା ନିଷ୍ପତ୍ତିକୁ ଶୋଭନଦେବ ଚ୍ୟାଲେଞ୍ଜ କରିଥିଲେ । ତାଙ୍କ ଯୁକ୍ତି ଥିଲା, ଟିଏମ୍‌ସି ପୂର୍ବରୁ ତାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିଲା । ହେଲେ ବାଚସ୍ପତି ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ଋତବ୍ରତଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ ।

ଆବେଦନ ଅନୁସାରେ, ୨୦୨୬ ମେ’ ୬ ତାରିଖରେ ଟିଏମ୍‌ସି ମୁଖ୍ୟାଳୟରେ ଏକ ବୈଠକ ବସିଥିଲା । ଏଥିରେ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ନିଷ୍ପତ୍ତି ହୋଇଥିବା ଦାବି କରାଯାଇଛି । ଏହି ବୈଠକରେ ଋତବ୍ରତଙ୍କ ସମେତ ପ୍ରାୟ ୭୦ ଜଣ ନେତା ଉପସ୍ଥିତ ଥିଲେ। ପରେ ମେ’ ୧୯ ତାରିଖରେ ବିଧାୟକମାନଙ୍କ ଦସ୍ତଖତ ଥିବା ପ୍ରସ୍ତାବ ଓ ବୈଠକରେ ଉପସ୍ଥିତ ସଦସ୍ୟଙ୍କ ତାଲିକା ବାଚସ୍ପତିଙ୍କୁ ଦିଆଯାଇଥିଲା ।

ତେବେ ଏହି ପ୍ରସ୍ତାବରେ ଥିବା ଅନେକ ଦସ୍ତଖତ ଜାଲ୍‌ ବୋଲି ଋତବ୍ରତ ଅଭିଯୋଗ କରିଥିଲେ। ଏହାପରେ ତତ୍କାଳୀନ ଟିଏମ୍‌ସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିବା ଆବେଦନରେ ଉଲ୍ଲେଖ ରହିଛି।

ଏହାର କିଛି ଦିନ ପରେ ଋତବ୍ରତଙ୍କ ସହ ୫୯ ଜଣ ବିଧାୟକ ଟିଏମ୍‌ସିରୁ ଅଲଗା ହୋଇ ‘ଡେମୋକ୍ରାଟିକ୍‌ ତୃଣମୂଳ କଂଗ୍ରେସ’ ନାମରେ ଏକ ଅଲଗା ଗୋଷ୍ଠୀ ଗଠନ କରିଥିଲେ । ଏହାପରେ ସେମାନେ ଋତବ୍ରତଙ୍କୁ ବିରୋଧୀ ଦଳ ନେତା କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି ରଖିଥିଲେ । ବାଚସ୍ପତି ମଧ୍ୟ ଏହାକୁ ମଞ୍ଜୁର କରିଥିଲେ । ଏହି ନିଷ୍ପତ୍ତିକୁ ହିଁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଶୋଭନଦେବ ।

ଏବେ ହାଇକୋର୍ଟଙ୍କ ରାୟ ପରେ ଉଭୟ ଗୋଷ୍ଠୀର ଦାବି ଉପରେ ବାଚସ୍ପତି କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ନଜର । ୧୦ ଦିନ ମଧ୍ୟରେ ନୂଆ ନିଷ୍ପତ୍ତି ଆସିବାକୁ ଥିବାରୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତୃତ୍ୱକୁ ନେଇ ରାଜନୈତିକ ଉତ୍କଣ୍ଠା ବଢ଼ିଛି ।

Leave A Reply

Your email address will not be published.