ଆଗୁଆ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

0

ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ। କିନ୍ତୁ ଏହା ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଯାଉଛି ୫ ରାଜ୍ୟର ବିଧାନସଭା ନିର୍ବାଚନ। ଚବିଶ ଫାଇଟ୍ ପୂର୍ବରୁ ରାଜନୈତିକ ଦଳଙ୍କ ପାଇଁ ଏହା ଏକ ପ୍ରି-ଟେଷ୍ଟ। ତେଣୁ କେନ୍ଦ୍ରରେ ଶାସନ ଗାଦି ଅକ୍ତିଆର୍ ପାଇଁ ଏହି ପରୀକ୍ଷା କଡ଼ା ମୁକାବିଲା ହେବ ବୋଲି ଆକଳନ କରାଯାଉଛି। ଶାସକ ବିଜେପି ପାଇଁ ବିଶେଷ ପ୍ରତିବନ୍ଧକ ନଥିଲେ ମଧ୍ୟ ଦଳ ଆରମ୍ଭ କରିଦେଇଛି ପଲିଟିକାଲ୍ ଷ୍ଟ୍ରାଟେଜି।

ଏଥିପାଇଁ ବିଜେପି ଆଜି ସନ୍ଧ୍ୟାରେ ଡାକିଛି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଦିଲ୍ଲୀ ମୁଖ୍ୟାଳୟରେଏହି ବୈଠକ ବସିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ନିର୍ବାଚନ ପ୍ୟାନେଲର ଅନ୍ୟ ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ହେବ। ପ୍ରାର୍ଥୀ ଚୂଡ଼ାନ୍ତ କରିବା ଏବଂ ମତଦାନ ରଣନୀତି ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ହେଉଛି ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ପ୍ୟାନେଲ୍।

ନିର୍ବାଚନ ଘୋଷଣା ହେବା ପୂର୍ବରୁ ପ୍ୟାନେଲ କ୍ୱଚିତ୍ ବୈଠକ କରିଥାଏ। ତେଣୁ, ଏହି ବୈଠକ ସୂଚାଇ ଦେଉଛି ଯେ ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ନିର୍ବାଚନରେ ଦଳର ବିଫଳତା କେଉଁଠି ନା କେଉଁଠି ମନୋବଳକୁ ଦୁର୍ବଳ କରିଦେଇଛି। ତେଣୁ ଆଗକୁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜୟ ପାଇଁ ଜୋରଦାର୍ କସରତ କରିବ ଦଳ। ଏଥିପାଇଁ ନିର୍ବାଚନକୁ ତିନି ମାସ ଥିବାବେଳେ ଦଳ ଡାକିଛି ଜରୁରୀ ବୈଠକ।

ତେବେ ଡିସେମ୍ୱରରେ ମତଦାନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା। ଏଥିମଧ୍ୟରୁ ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନା ବିରୋଧୀ ଶାସିତ ରାଜ୍ୟ। ବିଜେପି ଏଠାରେ ଆସନ ଅଳଙ୍କୃତ ପାଇଁ ଜି-ଜାନ୍ ଲଗାଇଦେବ। ସେପଟେ ମିଜୋରାମରେ ଶାସକ ଦଳ ଏମଏନଏଫ(ମିଜୋ ନ୍ୟାସନାଲ୍ ଫ୍ରଣ୍ଟ) ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯାଇଥିଲା। ମଣିପୁର ମାମଲାରେ ବିଜେପିର ଶିଥୀଳତାକୁ ନେଇ ଦଳ ଖୁବ୍ ସମାଲୋଚନା କରିଥିଲା। ତେଣୁ ଏହି କ୍ଷେତ୍ର ମଧ୍ୟ ବିଜେପି ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Leave A Reply

Your email address will not be published.