ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଶସକ୍ତ ହେବ କଂଗ୍ରେସ । ଓଡ଼ିଶାରେ ଥିବା ଅସଜଡ଼ା ସଙ୍ଗଠନକୁ ସଜାଡ଼ିବା ପାଇଁ ରାହୁଲ ଦେବେ ମନ୍ତ୍ର । ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅକ୍ଟୋବରର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ । ସେହିଭଳି ଅକ୍ଟୋବରରେ ପ୍ର୍ର୍ରିୟଙ୍କା ଗାନ୍ଧୀଙ୍କର ମଧ୍ୟ ଓଡ଼ିଶା ଗସ୍ତ ରହିଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ ।
ଆଗୁଆ ନିର୍ବାଚନ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ବେଳେ ରାହୁଲ ଓ ପ୍ରିୟଙ୍କାକ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି । ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶା ଆସିନାହାନ୍ତି ରାହୁଲ ଗାନ୍ଧୀ । ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କୁ କଣ ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଗତ କିଛି ଦିନ ହେବ ଓଡ଼ିଶା କଂଗ୍ରେସରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଛି । ଶରତ ପଟ୍ଟନାୟକ ସଭାପତି ହୋଇଥିବା ବେଳେ ଦଳବିରୋଧୀ ମନ୍ତବ୍ୟ ପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।