ରାଜ୍ୟରେ ପୁଣି ବର୍ଷିବ!
ଭୁବନେଶ୍ୱର (ଆମ ଟିଭି): କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ଦରଭଙ୍ଗା, ବାଲୁର୍ଘାଟରୁ ମଣିପୁର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ ୩୦ ତାରିଖ ଆଡ଼କୁ ପୁଣି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି ।
ପାଣିପାଗ କେନ୍ଦ୍ରର ସୂଚନା କହୁଛି, ୨ ଦିନ ପାଗ ଶୁଖିଲା ରହିବା ପରେ ରାଖି ପୂର୍ଣ୍ଣିମା ଆଡ଼କୁ ପୁଣି ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ। ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।