ଭୁବନେଶ୍ୱର (ଆମ ଟିଭି): ଅପରାଜିତାଙ୍କୁ ବିରୋଧ କରାଯିବା ଘଟଣାକୁ ନେଇ ପ୍ରତିକ୍ରିିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଜି ଓଡ଼ିଶାରେ ଗଣତନ୍ତ୍ରର ସୀମା ଉଲ୍ଲଂଘନ ହେଉଛି। ଭୁବନେଶ୍ୱର ସାଂସଦଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି। ଗଣତନ୍ତ୍ରରେ ଯାହା ପାଖରେ ସଂଖ୍ୟାବଳ ଅଛି, ସେମାନେ ଯଦି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ଥିବା ଲୋକଙ୍କୁ ଅପମାନିତ କରିବେ, ତେବେ ଏହାଠୁ ବଳି କିଛି ଜଘନ୍ୟ କଥା ହୋଇନପାରେ। ବ୍ରିଟିଶରାଜର ଇଷ୍ଟ ଇଣ୍ଡିଆ କମ୍ପାନୀର ଦମ୍ଭ ବି ଏହିଭଳି ଥିଲା। ଓଡ଼ିଶାରେ ପଲ୍ଲୀସଭା ନକରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଉଛି। ସରକାରୀ ନିର୍ଦ୍ଦେଶ ସମ୍ବିଧାନର ପରିଧି ଭିତରେ ନା ବାହାରେ ? ଆମର ପୂର୍ବଜମାନେ ଏଠାରେ ସଂଘର୍ଷ କରି ଦେଶ ପାଇଁ ସ୍ୱତନ୍ତ୍ରତା ଆଣିଥିଲେ। ସମ୍ବିଧାନ ବ୍ୟବସ୍ଥା ଲାଗୁ କରିଥିଲେ। କିନ୍ତୁ ସମ୍ବିଧାନକୁ ଦମ୍ଭ ଦେଖାଇ ତାଙ୍କ ଢଙ୍ଗରେ ଚଲାଇବେ ଓ ଲମ୍ବା ସମୟ ସମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ବୋଲି ଯେଉଁ ବରିଷ୍ଠ ଅଧିକାରୀମାନେ ଭାବୁଛନ୍ତି, ସେମାନେ ଭୁଲ ଓ ଭ୍ରମରେ ଅଛନ୍ତି।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଗଣତନ୍ତ୍ରରେ ଆଇନକାନୁନ ଅଛି। ସାମ୍ବିଧାନିକ ମର୍ୟ୍ୟାଦା ଅଛି। ଗଣତନ୍ତ୍ରର ସବୁଠୁ ଉର୍ଦ୍ଧ୍ୱରେ ଲୋକମତ ଅଛି। ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରିକ କାମକୁ ପ୍ରଶ୍ରୟ ଦେବେନି ବୋଲି ରାଜନୈତିକ ବିରୋଧୀ ଦଳଭାବେ ତାଙ୍କ ଠାରୁ ମୋର ଅପେକ୍ଷା ରହିଛି। ଓଡ଼ିଶାରେ ଆଲୋଚନା, ସମାଲୋଚନା ହେଉ। ବିରୋଧ ରାଜନୈତିକ ସ୍ତରରେ କରାଯାଉ। ଗଣତନ୍ତ୍ରକୁ ସମ୍ମାନ ଦିଆଯାଉ।