ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ସର୍ବଦଳୀୟ ବୈଠକ
ଆସନ୍ତା ୧୮ରୁ ୫ ଦିନ ଧରି ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହାର ଦିନକ ପୂର୍ବରୁ ଅର୍ଥାତ ସେପ୍ଟେମ୍ବରରେ ୧୭ରେ ସର୍ବଦଳୀୟ ବୈଠକ ବସିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ୧୭ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଥିବା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ବିଶେଷ ଅଧିବେଶନ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪.୩୦ରେ ସମସ୍ତ ଦଳର ଫ୍ଲୋର ନେତାମାନଙ୍କ ବୈଠକ ବସିବ। ସମାନ ନିମନ୍ତ୍ରଣ ନେତାମାନଙ୍କୁ ଇ-ମେଲ ଯୋଗେ ମଧ୍ୟ ପଠାଇ ଦିଆଯାଇଛି। ଚିଠି ପଠାଯିବ ବୋଲି ସେ କହିଛନ୍ତି। ଏହାକୁ ସେ କନ୍ନଡ ଭାଷାରେ ମଧ୍ୟ ଲେଖିଛନ୍ତି। ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକା ଧରୱାଡ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ଯାଇଛନ୍ତି। ତେଣୁ ସେ ଇଂରାଜୀ ବ୍ୟତୀତ କନ୍ନଡ ଭାଷାରେ ମଧ୍ୟ ସର୍ବଦଳୀୟ ବୈଠକ ବସିବାକୁ ଯାଇଥିବା ସୂଚନା ଦେଇଛନ୍ତି।