ଆଜି ଭାରତ ଓ ବାଂଲାଦେଶ ମୁକାବିଲା

0

କଲମ୍ବୋ: ଭାରତୀୟ ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ ଆୟର ଦଳର ଅଭ୍ୟାସ ଶିବିରକୁ ଫେରିଛନ୍ତି। ଯାହାଫଳରେ ବାଂଲାଦେଶ ବିପକ୍ଷ ଏସିଆ କପ୍‌ ସୁପର-୪ ଔପଚାରିକ ମ୍ୟାଚ୍‌ରେ ସେ ଖେଳିବା ନେଇ ଆଶା ଉଜ୍ଜୀବିତ ହୋଇଛି। ପାଖାପାଖି ସପ୍ତାହେ ବିଶ୍ରାମ ପାଇବା ପରେ ଶ୍ରେୟସ ଅଭ୍ୟାସକୁ ଫେରିଛନ୍ତି। ତେଣୁ ହାଲ୍‌କା ଅଭ୍ୟାସ ଉପରେ ସେ ଗୁରୁତ୍ବ ଦେଇଥିଲେ। ଶ୍ରେୟସ ଅଭ୍ୟାସ ପାଇଁ ଆସିଥିଲେ ମଧ୍ୟ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା କ୍ଷୀଣ। ସୁପର-୪ରେ ଦୁଇଟିଯାକ ମ୍ୟାଚ୍‌ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଛି। ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାଇନାଲ୍‌ ପର୍ଯ୍ୟନ୍ତ ଫିଟ୍‌ ରହିବାକୁ ବିଶ୍ରାମ ଦିଆଯାଇପାରେ।

ପୂର୍ବରୁ ପାକିସ୍ତାନ ଓ ନେପାଳ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରେୟସ ଖେଳିଥିଲେ। କିନ୍ତୁ ତାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ ଦଳରେ ସୁଯୋଗ ପାଇଥିଲେ। ବୁମ୍‌ରା ମଧ୍ୟ ଆହତରୁ ଫେରିବା ପରେ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି। କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିବା ବେଳେ ରନ୍‌ ଅପ୍‌ରେ ତାଙ୍କ ଗୋଇଠି ସାମାନ୍ୟ ମୋଡ଼ି ହୋଇଯାଇଥିଲା। ଯଦିଓ ଏହାପରେ ସେ ଓଭର ଶେଷ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଡ୍ରେସିଂ ରୁମ୍‌ ଫେରିଯାଇଥିଲେ। ବିଶ୍ବକପ୍‌ ପାଇଁ ଏମାନେ ଦଳର ପ୍ରମୁଖ ଅସ୍ତ୍ର। ତେଣୁ ଏସିଆ କପ୍‌ ସମୟରେ ସାମାନ୍ୟତମ ଆହତ ଭାରତୀୟ ଦଳକୁ ମହଙ୍ଗା ପଡ଼ିପାରେ।

Leave A Reply

Your email address will not be published.