ଅଡ଼ୁଆରେ ଅଭିନେତା ଗୋବିନ୍ଦା
ସୋଲାର ଟେକ୍ନୋଲଜି ଆଲିଆନ୍ସ (STA) ର ବ୍ରାଣ୍ଡ ଆମ୍ବାସଡର ହୋଇ ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ । ଏପରିକି ଖୁବ୍ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ ବୋଲି ବି ସୂଚନା ମିଳିଛି। ଏହି ଘଟଣାକୁ ନେଇ ଗୋବିନ୍ଦା ପାଟି ଫିଟାଇ ନ ଥିବା ବେଳେ ସଫେଇ ଦେଇଛନ୍ତି ତାଙ୍କ ମ୍ୟାନେଜର ଶଶି ସିହ୍ନା।
ଶଶି ସିହ୍ନାଙ୍କ ସୂଚନା ଅନୁଯାୟୀ, ଏହି ଅଭିଯୋଗ ସହିତ ଗୋବିନ୍ଦାଙ୍କର କିଛି ଲିଙ୍କ ନାହିଁ। ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବାଦ ତାଙ୍କର ଉକ୍ତ କମ୍ପାନୀର ବିଜନେସ୍ ତଥା ବ୍ରାଣ୍ଡିଂ ସହ କୌଣସି ସମ୍ପର୍କ ନାହିଁ। ସେ କେବଳ କିଛି ପ୍ରମୋସନାଲ ଭିଡିଓ ସୁଟ୍ କରିଥିଲେ। ତେଣୁ ଗଣମାଧ୍ୟମରେ କେବଳ ଏକ ପାଖିଆ ସମ୍ବାଦ ପରିବେଷଣ କରାଯାଉଛି।
ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଥିବା ଓଡ଼ିଶା EOWର ଡିଏସ୍ପି କହିଛନ୍ତି, ବହୁ ଅଭିଯୋଗ ହେବା ପରେ ଆମେ ଏହି ମାଲାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ STA ନିଜର ଟୋକନ ଲଞ୍ଚ କରିଥିବା ଜଣାଯାଇଛି। ଏହି ଟୋକନ ଏକ ଚେନ୍ ସିଷ୍ଟମ ଭାବେ କାମ କରୁଥିବା ବେଳେ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ୍ କରାଇ ପାରିଲେ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ହେବ ବୋଲି ଆର୍ଥିକ ଲୋଭ ଦେଖା ଯାଉଥିଲା। ଫଳରେ ଏହି କମ୍ପାନୀର ସଦସ୍ୟ ନିଜ ଅଧୀନରେ ବହୁ ଲୋକଙ୍କୁ ଜଏନ କରାଇ ମାଲେମାଲ ହୋଇଛନ୍ତି । ମାତ୍ର ସେମାନଙ୍କ କଥାରେ ଫସି ବହୁ ଲୋକଙ୍କ ଟଙ୍କା ବୁଡ଼ି ରହିଥିବା ବେଳେ ସେମାନଙ୍କ ସନ୍ଧାନ ମିଳି ପାରୁନି ।