୨୦୨୪ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ବାଇଡେନ
ନୂଆଦିଲ୍ଲୀ (ଆମ ଟିଭି): ଭାରତର ୨୦୨୪ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏଥିପାଇଁ ବାଇଡେନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଥିବା ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ଜି୨୦ ସମ୍ମିଳନୀ ଅବସରରେ ବାଇଡେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ତାଙ୍କୁ ୨୦୨୪ ଜାନୁୟାରୀ ୨୬ ଉତ୍ସବରେ ଯୋଗଦେବା ଲାଗି ମୋଦି ଆମନ୍ତ୍ରଣ କରିଥିଲେ ବୋଲି ନୂଆଦିଲ୍ଲୀରେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି କହିଛନ୍ତି।
ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ଆବଡେଲ ଫତାହ ଅଲ୍-ସିସି ମୁଖ୍ୟ ଅତିଥି ହୋଇଥିଲେ। ୨୦୧୫ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ସାଧାରଣତନ୍ତ୍ର ଦିବସ ଅତିଥି ହୋଇଥିଲେ। ଏହାପୂର୍ବରୁ ଖବର ମିଳିଥିଲାଯେ ଭାରତ ସରକାର ସାଧାରଣତନ୍ତ୍ର ଦିବସରେ କ୍ୱାଡ ନେତାମାନଙ୍କୁ ନିମନ୍ତ୍ରଣ କରିବେ। ଭାରତ ଓ ଆମେରିକା ବ୍ୟତୀତ କ୍ୱାଡରେ ଅଷ୍ଟ୍ରେଲିଆ ଓ ଜାପାନ ରହିଛନ୍ତି। ଏହି ଦେଶଗୁଡ଼ିକର ମୁଖ୍ୟମାନଙ୍କୁ ଭାରତ ସରକାର ଅତିଥି ଭାବେ ନିମନ୍ତ୍ରଣ କରିବାକୁ ଯାଉଥିବା ଖବର ମିଳିଥିଲା।