ବିବାଦ ପରେ ବି କାନାଡାରୁ ଭାରତ ଆସିଲା ମସୁର ଡାଲି
ନୂଆଦିଲ୍ଲୀ: କାନାଡ଼ା ସହିତ ବିବାଦ ସତ୍ତେ୍ୱ ଭାରତ ଏହାର ବାଣିଜ୍ୟିକ ସମ୍ପର୍କ ଅକ୍ଷୁଣ୍ଣ ରଖିଛି । ସଦ୍ୟ ଘଟଣାକ୍ରମେ କାନାଡ଼ାରୁ ଭାରତ ମସୁର ଡାଲି ଆମଦାନି କରିଛି । ଭାରତୀୟ ବନ୍ଦରଗୁଡ଼ିକରେ ପ୍ରାୟ ୧ ଲକ୍ଷ ଟନ୍ ଓଜନର ଡାଲି ଆସି ପହଞ୍ଚିଛି ।
ଏ ନେଇ ଜଣେ ଅଧିକାରୀ କହିଛନ୍ତି, ଭାରତରେ ବାର୍ଷିକ ୨୩ ଲକ୍ଷ ଟନ୍ ମସୁର ଡାଲି ଆବଶ୍ୟକ ଥିବା ବେଳେ ୧୬ ଲକ୍ଷ ଟନ୍ ଉତ୍ପାଦନ ହେଉଛି । ବର୍ତ୍ତମାନ ୬ ଲକ୍ଷ ଟନ୍ ମସୁର ଡାଲି ବନ୍ଦରଗୁଡ଼ିକରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆମେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହୁଁ । ସୂତ୍ର ମୁତାବକ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ଆମଦାନି ଉପରେ କୌଣସି ପ୍ରକାର ଶୁଳ୍କ ଲଗାଇବେ ନାହିଁ ।