ଯୁଦ୍ଧ ବନ୍ଦ କରିବାକୁ କମ୍ପାନୀ ଦେଲା ଚେତାବନୀ

0

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଇସ୍ରାଏଲ ଗାଜା ଉପରେ ତୁହାକୁ ତୁହା ଆକ୍ରମଣ କରୁଛି। ଏହାରି ଭିତରେ ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲକୁ ଧମକ ଦେଇଛି ଏକ ଭାରତୀୟ କମ୍ପାନୀ।

ଇସ୍ରାଏଲ ପୁଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ କମ୍ପାନୀ ବଡ଼ ଘୋଷଣା କରିଛି। କେରଳର କନ୍ନୁରରେ ଅବସ୍ଥିତ ମେରିନ୍‌ ଅପେରଲ ପ୍ରାଇଭେଟ୍‌ ଲିମିଟେଡ୍ କହିଛି ଯେ ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ଯୁଦ୍ଧ ବନ୍ଦ ନହେବା ପର୍ଯ୍ୟନ୍ତ ସେ ଇସ୍ରାଏଲ୍ ପୁଲିସର କୌଣସି ନୂତନ ଅର୍ଡର ଗ୍ରହଣ କରିବ ନାହିଁ। ପାଲେଷ୍ଟାଇନର ହସ୍ପିଟାଲ ଉପରେ ବୋମା ବିସ୍ଫୋରଣ ପରେ କମ୍ପାନୀ ଇସ୍ରାଏଲକୁ ଏଭଳି କିଛି ଧମକ ଦେଇଛି।

ମେରିନ୍‌ ଅପେରଲ ପ୍ରାଇଭେଟ ଲିମିଟେଡ କମ୍ପାନୀର ଅଧ୍ୟକ୍ଷ ଥମସ ଓଲିକଲ କହିଛନ୍ତି, ଯେତେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ବନ୍ଦ ନ ହୋଇଛି ସେତେ ଯାଏ ଇସ୍ରାଏଲ ପୁଲିସ ଠାରୁ କୌଣସି ନୂଆ ବରାଦ ରଖାଯିବ ନାହିଁ। କହିରଖୁ ଯେ, ଏହି କମ୍ପାନୀ ଇସ୍ରାଏଲ ପୁଲିସ ପାଇଁ ହାଳୁକା ନୀଳ ରଙ୍ଗ ଓ ଲମ୍ବା ସ୍ଲିଭ ଥିବା ୟୁନିଫର୍ମ ତିଆରି କରେ।

୨୦୧୫ ରୁ ଇସ୍ରାଏଲ୍ ପୁଲିସ ପାଇଁ ଆମେ ୟୁନିଫର୍ମ ତିଆରି କରୁଛୁ। କିନ୍ତୁ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି, ଏହା କୌଣସି ପ୍ରକାରରେ ଗ୍ରହଣୀୟ ନୁହେଁ। ହମାସ୍ ଆତଙ୍କୀମାନେ ଯାହା କରୁଛନ୍ତି ତାହା ଠିକ୍ ନୁହେଁ। ସେହିଭଳି, ପ୍ରତିଶୋଧ ନେବାକମୁ ଇସ୍ରାଏଲ ଯାହା କରୁଛି ତାହା ମଧ୍ୟ ଠିକ୍ ନୁହେଁ ବୋଲି କମ୍ପାନୀ ଅଧ୍ୟକ୍ଷ ଥମସ କହିଛନ୍ତି।

Leave A Reply

Your email address will not be published.