ବରୁଣଙ୍କୁ ଭେଟିଲେ କଂଗ୍ରେସ ନେତା ବା ଭାଇ ରାହୁଲ ଗାନ୍ଧି
କେଦାରନାଥ ମନ୍ଦିରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସମ୍ପର୍କୀୟ ଭାଇ ବରୁଣ ଗାନ୍ଧିଙ୍କୁ ଭେଟିଛନ୍ତି। ବରୁଣ ହେଉଛନ୍ତି ବିଜେପିର ସାଂସଦ। ତଥାପି ରାହୁଲ ଗାନ୍ଧି ଓ ବରୁଣ ଗାନ୍ଧି କେଦାରନାଥ ମନ୍ଦିରରେ ବେଶ କିଛି ସମୟ ପରସ୍ପର ସହ କଥା ହୋଇଛନ୍ତି।
ମଙ୍ଗଳବାର ଉଭୟ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣଙ୍କର ଦେଖା ହୋଇଥିଲା ଓ ସେମାନେ ପରସ୍ପର ସହ ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବରୁଣ ଗାନ୍ଧି ବିଜେପିର ସାଂସଦ ରହିଥିଲେ ହେଁ ଦଳ ତାଙ୍କୁ କଣୋଠେସା କରି ରଖିଛି। ସେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାର ନଜିର ରହିଛି। ଏପରି ସ୍ଥିତିରେ ରାହୁଲଙ୍କ ସହ ତାଙ୍କର ଭେଟଘାଟ ନୂଆ ରାଜନୀତିକ ସମୀକରଣକୁ ଜନ୍ମ ଦେଇଛି। ୨୦୨୪ ନିର୍ବାଚନ ପୂର୍ବରୁ ବରୁଣ ଗାନ୍ଧି ତାଙ୍କ ରାଜନୀତିକ ଭବିଷ୍ୟତ ଉପରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି।
ବରୁଣ ଗାନ୍ଧି ହେଉଛନ୍ତି ସଞ୍ଜୟ ଓ ମାନେକା ଗାନ୍ଧିଙ୍କ ପୁଅ। ମାନେକା ମଧ୍ୟ ବିଜେପିର ସାଂସଦ। କିନ୍ତୁ ତାଙ୍କୁ ମଧ୍ୟ ବିଜେପି ଏବେ ଆଉ ଗୁରୁତ୍ୱ ଦେଉ ନାହିଁ।
ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଦୁଇ ଗାନ୍ଧି ମନ୍ଦିର ବାହାର ବେଢ଼ାରେ ପରସ୍ପରକୁ ଭେଟିଥିଲେ। ସେମାନେ ପରସ୍ପରର ହାଲଚାଲ ପଚାରି ବୁଝିଥିଲେ। ଏହାପରେ ଦୁଇ ନେତା କିଛି ସମୟ କଥା ହୋଇଥିଲେ। ବରୁଣଙ୍କ ଝିଅଙ୍କୁ ଭେଟି ରାହୁଲ ମଧ୍ୟ ବେଶ ଖୁସି ଅନୁଭବ କରିଥିଲେ।ପୂର୍ବରୁ ଦୁଇ ଭାଇ ପରସ୍ପରକୁ ଭେଟି ନଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ କେବେ ହେଲେ ତିକ୍ତତା ଦେଖିବାକୁ ମିଳି ନଥାଏ। ଏବେ ସେମାନେ ପରସ୍ପରକୁ ଭେଟିଥିଲେ ହେଁ ରାଜନୀତିକ ପ୍ରସଙ୍ଗରେ କିଛି ବି ଆଲୋଚନା କରି ନଥିବା ରିପୋର୍ଟରେ କୁହାଯାଇଛି।