ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ରେବନ୍ତ
ଆଜିଠୁ ତେଲଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ଥ ରାଜ୍। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ଥ ରେଡ୍ଡୀ। ହାଇଦ୍ରାବାଦର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି। ତେଲେଙ୍ଗାନା ରାଜ୍ୟପାଳ ଟି ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାବେ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଶପଥ ନେଇଛନ୍ତି। ସେହିପରି ଆଉ ୧୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ କୁମାର ରେଡ୍ଡୀ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ସାମିଲ ହୋଇଥିଲେ।
୨୦୧୩ରେ ତେଲଙ୍ଗାନା ଗଠନ ପରେ କଂଗ୍ରେସ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି। ଏହାପୂର୍ବରୁ ବିଆରଏସ ତେଲଙ୍ଗାନାରେ ସରକାର ଗଢିଥିଲା। କିନ୍ତୁ ଚଳିତ ନିର୍ବାଚନରେ ରେବନ୍ଥଙ୍କ ନେତୃତ୍ୱରେ ତେଲଙ୍ଗାନାରେ ସରକାର ଗଢିଛି କଂଗ୍ରେସ।
୫୪ ବର୍ଷୀୟ ରେବନ୍ଥ ରେଡ୍ଡୀ ଯୁବାବସ୍ଥାରୁ ରାଜନୀତିରେ ଅଛନ୍ତି। ଛାତ୍ର ଥିବା ବେଳେ ସେ ଏବିଭିପି ସହିତ ଜଡ଼ିତ ଥିଲେ। ୨୦୦୬ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ଜିତିଥିଲେ। ୨୦୦୭ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ।