ନିଜର ଉତ୍ତରାଧିକାରୀ ନାମ ଘୋଷଣା କଲେ ମାୟାବତୀ

0

ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ (୨୮)ଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଲକ୍ଷ୍ମୌରେ ଆଜି ବସିଥିବା ଦଳୀୟ ବୈଠକରେ ମାୟାବତୀ ଏହି ଘୋଷଣା କରିଛନ୍ତି।

ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ସେ ଲଣ୍ଡନରେ ଏମ୍‌ବିଏ କରିଛନ୍ତି। ୨୦୧୭ରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେହିବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସହରଣପୁରରେ ଏକ ରାଲି ବେଳେ ତାଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ସହିତ ଦେଖିବାକୁ ମିଳିଥିଲା। ତାହା ଥିଲା ରାଜନୀତିରେ ତାଙ୍କର ପ୍ରବେଶ। ୨୦୧୭ରୁ ସେ ବିଏସ୍‌ପିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ।

୨୦୧୯ରେ ମାୟାବତୀ ତାଙ୍କ ସାନଭାଇ ଆନନ୍ଦ କୁମାରଙ୍କୁ ଦଳର ଜାତୀୟ ସଭାପତି ଭାବେ ନିଯୁକ୍ତି ଦେଇଥିଲେ। ସେହିପରି ଆକାଶଙ୍କୁ ଜାତୀୟ ସଂଯୋଜକ ଦାୟିତ୍ୱ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ସେ ତାଙ୍କର ପ୍ରଥର ରାଲିକୁ ସମ୍ବୋଧିତ କରିଥିଲେ। ଆଗ୍ରାରେ ଏହି ରାଲି ଅନୁଷ୍ଠିତ ହୋଇଥିଲା।

ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ଆଜିର ବୈଠକ ଡାକିଥିଲେ ମାୟାବତୀ। ଏହି ବୈଠକରେ ଆକାଶ ଆନନ୍ଦଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିବା ସହିତ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳକୁ ମଜବୁତ କରିବାକୁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି।

Leave A Reply

Your email address will not be published.