ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ପୁଣି ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଗତ କିଛି ମାସ ହେବ ଲଗାତର ଭାବେ ହେଉଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇର ଚିନ୍ତା ବଢାଇ ଦେଇଛି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ରେଳବାଇ ପକ୍ଷରୁ କବଚ ସୁରକ୍ଷା ବ୍ୟବସ୍ଥା ପରୀକ୍ଷଣ କରାଯାଇଥିଲା। ଇତି ମଧ୍ୟରେ ପୁଣି ବୁଧବାର ସକାଳ ୯ ଟାରେ ତେଲଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଚାର୍ମିନାର ଏକ୍ସପ୍ରେସର ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ସିପିଆରଓ ରାକେଶ କହିଛନ୍ତି ଯେ, ଏହି ଦୁର୍ଘଟଣା ସକାଳ ପ୍ରାୟ ୯ଟା ସମୟରେ ଘଟିଛି। ଏହି ରେଳ ଷ୍ଟେସନ୍ ହେଉଛି ଏକ ଟର୍ମିନାଲ୍ ଷ୍ଟେସନ୍, ଯେଉଁଠାରେ ଟ୍ରେନ୍ ଅଟକିଥାଏ। ଟ୍ରେନ୍ ଯେଉଁଠାରେ ଅଟକିବା କଥା ସେଠାରେ ନ ଅଟକି ଆଗକୁ ପଳାଇଥିଲା। ଏହି କାରଣରୁ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ ଦ୍ୱାର ନିକଟରେ ଠିଆ ହୋଇଥିବା ପ୍ରାୟ ୫ ଜଣ ଲୋକ ଆହତ ହୋଇଛନ୍ତି।