ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ୨୦ ଟଙ୍କାଠୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ୟ୍ୟନ୍ତ ନୂଆ ନୋଟ୍ ଜାରି କରିବ । ନକଲି ନୋଟ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ଗଭର୍ଣ୍ଣର ଜମିଲ ଅହମଦ କହିଛନ୍ତି କି ସୁରକ୍ଷାକୁ ନଜରରେ ରଖି ନୂଆ ନୋଟକୁ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ଜାରି କରାଯିବ । ସେ ଆଗକୁ କହିଛନ୍ତି କି ନୋଟକୁ ଅତ୍ୟାଧୁନିକ ଭାବେ ପ୍ରସ୍ତୁତ କରିବା ପାଇଁ ଡିଜାଇନକୁ ମଧ୍ୟ ଅପଡେଟ୍ କରାଯାଇଛି ।
ଗଭର୍ଣ୍ଣର ଜମିଲ ଅହମଦଙ୍କ କହିବାନୁସାରେ ଏହି ପଦକ୍ଷେପ ଫଳରେ ପାକିସ୍ତାନର ମୌଦ୍ରିକ ପ୍ରଣାଳୀ, ବ୍ୟବସାୟ ଏବଂ ନାଗରିକଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହେବ । ବଜାରରୁ ପୁରୁଣା ନୋଟକୁ ଧିରେ ଧିରେ ଫେରାଇ ନିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ୨୦୦୫ ମସିହାରୁ ବ୍ୟାଙ୍କ ନୋଟ ଜାରି କରୁଛି । ଏଥିରେ ୨୦ ଟଙ୍କା, ୫୦ ଟଙ୍କା, ୧୦୦, ୫୦୦, ୧୦୦୦ ଏବଂ ୫୦୦୦ ହଜାର ଟଙ୍କାର ନୋଟ୍ ଆସିଥାଏ । ଏବେ ଏହାକୁ ନୂଆ ବ୍ୟବସ୍ଥା ସହିତ ଜାରି କରାଯିବ ।