ପୁରୀ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଲେ ରାଜ୍ୟପାଳ ରଘୁବର ଦାସ

0

ଭୁବନେଶ୍ୱର (ଆମ ଟିଭି) : ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ । ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି ।
ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଗତ ୧୭ ଜାନୁଆରୀରେ ୮୦୦ କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରଙ୍କୁ ଧନ୍ୟବାଦ । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିର ଠାରୁ ୭୫ ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି । ଏହି ପ୍ରକଳ୍ପ ଭକ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ସହ ମନ୍ଦିରର ସୁରକ୍ଷା ଦିଗରେ ବଡ ଭୂମିକା ତୁଲାଇବ ।

ପୁରୀକୁ ଭକ୍ତଙ୍କ ଆଗମନ ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରୁ ଲକ୍ଷ୍ମୀ ଏକ୍ସପ୍ରେସ ବସ୍ ସେବା ଆରମ୍ଭ କରିଛନ୍ତି । ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଙ୍କ ପାଇଁ ଯେପରି କୌଣସି ସମସ୍ୟା ଦେଖା ନଦେବ ସେଥିପାଇଁ ପରିକ୍ରମା ପ୍ରକଳ୍ପ ଭଳି ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରର ଅଦ୍ଭୁତପୂର୍ବ ପରିବର୍ତ୍ତନ ସହ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ରାଜ୍ୟର ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କାମକୁ ପ୍ରାଥମିକତା ଦେଇଛନ୍ତି ।

Leave A Reply

Your email address will not be published.